fbpx

ଶ୍ମଶାନରେ ୧୦ ଦିନରେ ୭୮୯ ଶବସତ୍କାର, ମୁଖ୍ୟ ସଚିବ କହିଲେ- କରୋନାରେ ମରିଛନ୍ତି ମାତ୍ର ୬ ଜଣ

ବକ୍ସର ୧୮ ।୦୫: ବିହାରର ବକ୍ସରରେ ଗଙ୍ଗା ନଦୀରେ ମିଳିଥିବା ମୃତଦେହକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି । ରାଜ୍ୟରେ ବଢୁଥିବା କରୋନା ମାମଲା ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଲଗାତାର ସମୀକ୍ଷା କରୁଛନ୍ତି। ପାଟନା ଉଚ୍ଚ ନ୍ୟାୟାଳୟରେ କରୋନା ମାମଲାରେ ଶୁଣାଣି ସମୟରେ ଯେଉଁ ରିପୋର୍ଟ ରଖାଯାଇଛି, ତାହା ସଭିଙ୍କୁ ହତଚକିତ କରିଛି । ବିହାରର ମୁଖ୍ୟ ସଚିବ ଏବଂ ପାଟନା ନଗରପାଳିକା ଆୟୋଗ ଦ୍ୱାରା ବକ୍ସର ଶ୍ମଶାନ ଘାଟରେ କେତେ ଶବଦାହ କରାଯାଇଛି ତାର ସଂଖ୍ୟାରେ କୌଣସି ତାଳମେଳ ରହୁନାହିଁ ।

ମୁଖ୍ୟ ସଚିବଙ୍କ ରିପୋର୍ଟରେ ଗତ ମାର୍ଚ୍ଚ ୧ରୁ ମେ ୧୩ ପର୍ଯ୍ୟନ୍ତ କରୋନା କାରଣରୁ କେବଳ ୬ ଜଣଙ୍କ ପ୍ରାଣହାନୀ ଘଟିଥିବା ଦର୍ଶାଯାଇଛି । ଅନ୍ୟପଟେ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ମେ ୫ରୁ ମେ ୧୪ ପର୍ଯ୍ୟନ୍ତ ବକ୍ସର ଶ୍ମଶାନ ଘାଟରେ ୭୮୯ ଶବସତ୍କାର କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି କୁମାରଙ୍କ ପୀଠ ଦୁଇ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟ ସଚିବ ଓ ଆୟୋଗଙ୍କ ରିପୋର୍ଟରେ ରହିଥିବା ବିରୋଧାଭାସ ପରେ ହାଇକୋର୍ଟ ଆଡଭୋକେଟ୍ ଜେନେରାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଦୁଇ ରିପୋର୍ଟ ମଧ୍ୟରୁ କେଉଁଟା ଠିକ ? ଉଚ୍ଚ ନ୍ୟାୟାଳୟ ପଚାରିଛନ୍ତି ଯେ, ବକ୍ସର ଶ୍ମଶାନ ଘାଟରେ ମାର୍ଚ୍ଚ ୧ରୁ ମେ ୧୩ ପର୍ଯ୍ୟନ୍ତ କେତେ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରାଯାଇଛି ? ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି ତାର ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.