fbpx

ଟୁର୍ ବସକୁ ଧକ୍କାଦେଲା ଯାତ୍ରୀବାହୀ ବସ୍: କାହାର ହାଡ଼ ଭାଙ୍ଗିଯାଇଛି ତ କାହାର ମୁଣ୍ଡ ଓ ବେକରେ ଆଘାତ ଲାଗିଛି

Advertisement

ନୂଆଦିଲ୍ଲୀ: ଏକ ଭୟଙ୍କର ଦୁର୍ଘଟଣା ଘଟି ୮୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ନ୍ୟୁୟର୍କର ମ୍ୟାନହଟ୍ଟନ ସହରରୁ ଆସିଛି ଏଭଳି ଏକ ବଡ଼ ଖବର । ଦୁଇଟି ବସ୍ ପରସ୍ପର ସହ ଧକ୍କା ହେବା ଫଳରେ ଏତେସଂଖ୍ୟକ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ଡବଲ ଡେକର ଟୁର ବସ ଅନ୍ୟ ଏକ ଯାତ୍ରୀବାହୀ ବସକୁ ପଛଆଡ଼ୁ ଧକ୍କା ଦେଇଥିଲା । ଫଳରେ ଅନେକ ଯାତ୍ରୀଙ୍କୁ ଗଭୀର ଭାବେ ଆଘାତ ଲାଗିଥିଲା ।

ଏହି ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକଙ୍କର ହାଡ଼ ଭାଙ୍ଗିଯିବା ସହିତ ମୁଣ୍ଡ ଓ ବେକରେ ଆଘାତ ଲାଗିଛି । ଟୁର ବସଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଯାତ୍ରୀବାହୀ ବସଟିର ଅନେକ ଅଂଶ ଭାଙ୍ଗି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ଯାତ୍ରୀଙ୍କୁ ବସ୍ ଭିତରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଟୁର ବସର ସାମ୍ନାପଟ ମଧ୍ୟ ଚୁରମାର ହୋଇଯାଇଛି ।

ନ୍ୟୁୟର୍କର ଅଗ୍ନିଶମ ବିଭାଗ ଅନୁଯାୟୀ, ଦୁଇଟି ବସରେ ଯାତ୍ରୀ ପୂର୍ଣ୍ଣ ରହିଥିଲେ । ଏହି ଦୁର୍ଘଟଣା ପରେ ୬୩ ଜଣ ଯାତ୍ରୀଙ୍କୁ ମେଡିକାଲ କର୍ମଚାରୀମାନେ ବସରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । କିଛି ଲୋକଙ୍କର ନାକ ଓ ମୁଣ୍ଡରେ ଆଘାତ ଲାଗିଛି । ଏହି ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.