fbpx

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ୮୭ ବର୍ଷର ବୃଦ୍ଧ ଗିରଫ

ଆଳି, ୩୦ା୧୧ (ଓଡିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଛନ୍ତି ଜଣେ ୮୭ ବର୍ଷର ବୃଦ୍ଧ । ଶିଶୁକନ୍ୟାର ମାଆଙ୍କର ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବୃଦ୍ଧ ଜଣଙ୍କୁ ଆଳି ଥାନା ପୋଲିସ ଗିରଫ କରିଛି ।
ଶିଶୁକନ୍ୟାର ମାଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ଉକ୍ତ ଗ୍ରାମର ସୁନାକର ପାତ୍ର ନାମକ ଜଣେ ୮୭ ବର୍ଷୀୟ ବୃଦ୍ଧ ଦୋକାନୀ ତାଙ୍କ ଝିଅକୁ ଦୋକାନ କ୍ୟାବିନ ଭିତରକୁ ଟେକିନେଇ ଅନେକ ସମୟ ଧରି ବନ୍ଦ କରି ରଖିଥଲେ । ଏହି ସୂଚନା ପାଇବା ପରେ ଶିଶୁ କନ୍ୟାର ମାଆ ତାଙ୍କ ଝିଅକୁ କ୍ୟାବିନ ନିକଟରେ ନିସ୍ତେଜ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଝିଅର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ମଧ୍ୟ ସେ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ପୋଲିସ ଉକ୍ତ ବୃଦ୍ଧଙ୍କୁ ଗିରଫ କରିଥିବା ଜଣାଯାଇଛି । ଏପରି ଏକ ଲଜ୍ଜାଜନକ ଘଟଣା ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଏ ସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇଥିଲେ । ସୁନାକରଙ୍କ ପୁଅ ଓଲଟା ସମ୍ପୃକ୍ତ ଶିଶୁକନ୍ୟାର ମାଆଙ୍କୁ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏପରିକି ସୁନାକରଙ୍କ ପରିବାରଲୋକେ ସମ୍ପୃକ୍ତ ମହିଳା ଜଣଙ୍କୁ ସଂଘବଦ୍ଧ ଭାବେ ଧମକଚମକ ଦେବା ସହ ଅଟକ ରଖିଥିଲେ । ମାତ୍ର ଗତ ୨୮ ତାରିଖରେ ମହିଳା ଜଣକ ଲୁଚିକରି ଯାଇ ଆଳି ଥାନାରେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ସୁନାକରଙ୍କୁ ଗିରଫ କରିଥିବା ତଦନ୍ତ ଅଧିକାରୀ ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.