fbpx

ଜୀବଜନ୍ତୁ ବି ବାଦ୍ ପଡିଲେନି, ମାଇ ସିଂହର ମୃତ୍ୟୁ ପରେ ଚିଡିଆଖାନାରେ ୯ ସିଂହ କରୋନା ପଜିଟିଭ୍

ଚେନ୍ନାଇ : ମଣିଷଙ୍କ ପରେ ଏବେ ମହାମାରୀର ପ୍ରକୋପ ଜୀବଜନ୍ତୁଙ୍କଠାରେ ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏକ ଚିଡିଆଖାନାରେ ସିଂହ କରୋନା ସଂକ୍ରମିତ ହେବା ଖବର ପରେ ଏବେ ଚେନ୍ନାଇରେ ମଧ୍ୟ ସିଂହ କୋଭିଡ୍-୧୯ ସଂକ୍ରମଣ କେସ୍ ସାମ୍ନାକୁ ଆସିଛି। ଏପରିକି କରୋନାରେ ଏକ ସିଂହର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଚେନ୍ନାଇ ନିକଟସ୍ଥ ଭାଣ୍ଡାଲୁର ଠାରେ ଆନ୍ନା ଜୁଲୋଜିକଲ ପାର୍କର ଚିଡ଼ିଆଖାନାରେ ଗୋଟିଏ ମାଇ ସିଂହର ମୃତ୍ୟୁ ହୋଇଛି।

ଗତକାଲି ନୀଲା ନାମକ ଏକ ୯ ବର୍ଷର ମାଇ ସିଂହର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଏହା ପରେ ଚିଡିଆଖାନାର ଡାକ୍ତରୀଦଳ ସିଂହଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଏହା ପରେ ଆନ୍ନା ଜୁଲୋଜିକାଲ ପାର୍କର ୧୧ ସିଂହଙ୍କ ରକ୍ତ ନମୂନା ସଂଗ୍ରହ କରି ଭୋପାଳ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହାଇ ସିକ୍ୟୁରିଟି ଡିଜିଜି(ଏନଆଇଏଚଏସଏଡି)କୁ ପଠାଇଥିଲେ।

ତେବେ ଏହା ମଧ୍ୟରେ ୯ ବର୍ଷୀୟ ଏକ ମାଇ ସିଂହର  ମୃତ୍ୟୁ ଘଟିଥିଲା। କୁହାଯାଉଛି ଯେ, ସିଂହଠାରେ କରୋନାର କିଛି ଲକ୍ଷଣ ଦେଖିବାକୁ ମିଳିଥିଲା। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସିଂହୀ ଛିଙ୍କୁଥିବାର ଦେଖି ତୁରନ୍ତ ତାର ଚିକିତ୍ସା କରାଯାଇଥିଲା। ତେବେ କରୋନା ଯୋଗୁଁ ସିଂହଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଚିଡ଼ିଆଖାନାରେ ଥିବା ସିଂହମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଦେବା ପରେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରିବା ସହିତ ୧୧ ସିଂହଙ୍କର ରକ୍ତ ନମୂନା ଓ ନାସାଲ ସ୍ୱାବ, ରିଆକ୍ଟ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା।

ସୂଚନାଯୋଗ୍ୟ, ଚିଡିଆଖାନାରେ ଜୀବଜନ୍ତୁଙ୍କ ଦେଖାଶୁଣା ପାଇଁ ନିୟୋଜିତ ଅଧିକାଂଶ କର୍ମଚାରୀଙ୍କ ଟିକାକରଣ ହୋଇ ସାରିଛି। କେବଳ ଏତିକି ନୁହେଁ ଚିକିତ୍ସକ ମଧ୍ୟ ପିପିଇ କିଟ୍ ପିନ୍ଧି ପଶୁଙ୍କ ଯାଞ୍ଚ କରନ୍ତି। ଏହି ଚିଡିଆଖାନାରେ ୧୩ ସିଂହ ଅଛନ୍ତି। ରାଜ୍ୟରେ ଲକ୍‌ଡାଉନ୍ କାରଣରୁ ଏହି ଚିଡିଆଖାନାକୁ ବନ୍ଦ ରଖାଯାଇଛି।

Get real time updates directly on you device, subscribe now.