fbpx

ରୋହିତଙ୍କ ଅନୁପସ୍ଥିତିରେ ଟେଷ୍ଟ ଦଳର ଉପ ଅଧିନାୟକ ହେବେ କେଏଲ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳର ଉପ ଅଧିନାୟକ ରହିବେ। ହାମଷ୍ଟ୍ରିଙ୍ଗ କାରଣରୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ଓହରି ଯିବା ପରେ ରାହୁଲଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଉପ ଅଧିନାୟକ କରାଯାଇଥିଲା।

ବିସିସିଆଇ ଶନିବାର ଏହାର ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକା ପହଞ୍ଚି ସାରିଥିବା ଦଳ ଶନିବାର ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ରୋହିତଙ୍କ ସ୍ଥାନରେ ପ୍ରିୟଙ୍କା ପଞ୍ଚାଲଙ୍କୁ ଦଳରେ ସାମିଲ୍ କରାଯାଇଛି। ରୋହିତ ଏବେ କ୍ରିକେଟରୁ ୩ ସପ୍ତାହ ଦୂରେଇ ରହିବେ। ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଫିଟନେସ୍ ଉପରେ କାମ କରୁଛନ୍ତି। ଏବେ ରୋହିତଙ୍କ ଉନୁପସ୍ଥିତିରେ କେଏଲ ରାହୁଲଙ୍କ ସହିତ ମୟଙ୍କ ଅଗ୍ରଓ୍ଵାଲ ଦଳର ଓପନିଂ କରି ପାରନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ପରିଶ୍ରମ କରୁଛନ୍ତି। ଏହି ସମୟରେ ରୋହିତ ଶର୍ମା ୧୯ ବ ର୍ଷରୁ କମ ଦଳ ସହିତ ନିଜର ଅନୁଭବ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ଖେଳାଯିବ। ଏହା ପରେ ଜାନୁଆରୀ ୩ରୁ ଜୋହାନ୍ସବର୍ଗରେ ଦ୍ଵିତୀୟ ଟେଷ୍ଟ ଏବଂ ଜାନୁଆରୀ ୧୧ରୁ କେପଟାଉନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇ ଦଳ ମଧ୍ୟରେ ଜାନୁଆରୀ ୧୯ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।

Get real time updates directly on you device, subscribe now.