fbpx

ଦେଶ ଓମିକ୍ରନ ଆତଙ୍କ, ତୃତୀୟ ଲହରକୁ ନେଇ ବଢ଼ିଲା ଆଶଙ୍କା: ଚିହ୍ନଟ ହେଲେଣି ୧୬୧ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ମହାମାରୀ କରୋନାର ନୂଆ ଭାରିଏଣ୍ଟ “ଓମିକ୍ରନ୍‌’ ଏବେ ଦେଶରେ ଧୀରେ ଧୀରେ ବ୍ୟାପିବା ଆରମ୍ଭ କରିଦେଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ଉପଦ୍ରବ ବଢ଼ିବାରେ ଲାଗିଛି । ସୋମବାର ଦିଲ୍ଲୀରୁ ଆଉ ୨ ଓମିକ୍ରୋନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି । ଦିଲ୍ଲୀରେ ସୋମବାର ସୁଦ୍ଧା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ୧୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ସୋମବାର ସକାଳୁ କର୍ଣ୍ଣାଟକରୁ ଆଉ ନୂଆ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଓମିକ୍ରନ ଗତିପଥରେ ରୋକ୍‌ ଲଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦିଆଯାଇଛି । ଏପରିକି କୋଭିଡ୍‌ ନିୟମ କଡାକଡି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ତେବେ କେତେକ ଲୋକ କରୋନା କମିଯାଇଛି ଭାବି କୋଭିଡ୍‌ ନିୟମର ସଠିକ୍‌ ଅନୁପାଳନ କରୁନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଖାସ୍‌ କରି ଓମିକ୍ରନ୍‌ ଭାରିଏଣ୍ଟ ଦେଖାଦେବା ପରେ ଆସନ୍ତା ଜାନୁଆରୀ ଶେଷ କିମ୍ବା ଫେବୃଆରୀ ମାସ ଆରମ୍ଭ ବେଳକୁ ଦେଶରେ କରୋନାର ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି । ଏପରି କ୍ଷେତ୍ରରେ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଓମିକ୍ରନ୍‌ ଗୁରୁତର କ୍ଷତି କରୁନଥିବା ଜଣାପଡ଼ିଥିଲେ ବି ଲୋକମାନେ ଓମିକ୍ରନ୍‌କୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.