ଖ୍ରୀଷ୍ଟମାସରେ ପ୍ରକୃତିର ବାର୍ତ୍ତା ବାଣ୍ଟିଲେ ପରିବେଶବିତ୍: କହିଲେ ସାଣ୍ଟାଙ୍କ ପରି ବୃକ୍ଷ ବାଣ୍ଟିଥାଏ ଉପହାର

ଭୁବନେଶ୍ୱର: ଆଜି ବଡ଼ଦିନ, ଖ୍ରୀଷ୍ଟମାସ ଦିନ । ଖ୍ରୀଷ୍ଟିୟାନ୍ ମାନଙ୍କର ବଡ଼ ପର୍ବ । ଖ୍ରୀଷ୍ଟମାସ ବୃକ୍ଷକୁ ସଜେଇବା ଠାରୁ ଆଉ ଏକ ବଡ଼ ଆକର୍ଷଣ ଥାଏ ଏହିଦିନ ସାଣ୍ଟାକ୍ଲସ୍ । ସାଣ୍ଟାକ୍ଲସ୍ ର ମୁଣାରେ ଥାଏ ଚକୋଲେଟ୍, ଖେଳଣା ପରି ଅନେକ ଉପହାର । ତାର ସେ ଉପହାର ପାଇବା ପାଇଁ ଅନେକଙ୍କ ଭିତରେ ଆଗ୍ରହ ଭରି ରହିଥାଏ । ସାଣ୍ଟାକ୍ଲସ୍ ପରି ପ୍ରତି ମୁହୂର୍ତ୍ତରେ ଉପହାର ବାଣ୍ଟୁଥିବା ବୃକ୍ଷକୁ ସାଣ୍ଟାକ୍ଲସ୍ ର ରୂପ ଦେଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ସେ କୁହନ୍ତି “ସାଣ୍ଟାକ୍ଲସ୍ ର ମୁଣାରେ ଥିବା ଉପହାର ପରି ବୃକ୍ଷର ମୁଣାରେ ଥାଏ ଫୁଲ, ଫଳ, ଅମ୍ଲଜାନ ପରି ଅନେକ ଉପହାର । ସାଣ୍ଟାକ୍ଲସ୍ ର ଆକର୍ଷଣୀୟ ରୂପ ପରି ବୃକ୍ଷଟି ସବୁବେଳେ ସୁନ୍ଦର । ସବୁ ଋତୁରେ ପ୍ରକୃତିର ଏ ସାଣ୍ଟାକ୍ଲସ୍ ର ତାର ଉପହାର ବାଣ୍ଟି ଚାଲିଥାଏ । ତା’ର ଉପହାର କେବେ ବି ସରେନା” । ଏହି ବଡ଼ଦିନ ଅବସରରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇ ବଡ଼ଦିନକୁ ସ୍ୱାଗତ କରିବା ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି ।