fbpx

‘ମୋ ସହ ଓୟୋ ନଗଲେ ବିଷ ପିଇଦେବି, ମୋ ମୃତ୍ୟୁ ପାଇଁ ଦାୟୀ ରହିବୁ ତୁ’

ବାରମ୍ବାର ଫୋନ୍‌ କରି ହଇରାଣ କରୁଥିବା ଯୁବକ ନାମରେ ନୟାପଲ୍ଲୀ ଥାନାରେ ମହିଳା କଲେ ଅଭିଯୋଗ ।

ଭୁବନେଶ୍ୱର(ଓଡିଶା ଭାସ୍କର) : ଗତ କିଛି ଦିନ ହେଲା ଫୋନ୍‌ କରି ହଇରାଣ କରୁଥିବା ଜଣେ ହତାଶିଆ ପ୍ରେମିକ ବିରୋଧରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଫୋନରେ ଯୁବକ ଜଣକ କହୁଛନ୍ତି, ‘ମୋ ସହ ଓୟୋ ନ ଗଲେ ବିଷ ପିଇ ଆତ୍ମହତ୍ୟା କରିବି…. ତୋ ନାଁରେ ଚିଠି ଲେଖିବି, ମୋ ମୃତ୍ୟୁ ପାଇଁ ତୁ ଦାୟୀ’। ଓୟୋ ନ ଗଲେ ସୁଇସାଇଡ୍‌ ନୋଟ୍‌ ଲେଖିବ ବୋଲି ଧମକ ଦେଉଛି ଏହି ହତାଶିଆ ପ୍ରେମିକ ।

ଅଭିଯୋଗ ଅନୁଯାୟୀ, ଯାଜପୁର ଅଞ୍ଚଳର ଏହି ଯୁବକ କିଛି ଦିନ ତଳେ ମହିଳାଙ୍କୁ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ କରିଥିଲେ । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ପାଇଁ ଏକ ଚାକିରି ଖୋଜି ଦେବାକୁ ମହିଳାଙ୍କୁ ଅନୁରୋଧ କରିଥିଲେ । ଏହାର କିଛି ଦିନ ପରେ ଯୁବକଜଣକ ପାଇକନଗରରେ ଆସି ଭଡ଼ାରେ ରହିଲେ ଏବଂ ଯୁବତୀଜଣକ ତାଙ୍କ ପାଇଁ ନୂଆପଲ୍ଲୀରେ ଏକ ଚାକିରି ଖୋଜି ଦେଇଥିଲେ । ଏହାରି ଭିତରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ପରେ ଦୀର୍ଘ ଦିନ ହେଲା ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀଜଣଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିନଥିଲେ । ଫଳରେ ଯୁବକଜଣଙ୍କ ତାଙ୍କୁ ନିତି ଫୋନ୍‌ କରି ଏମିତି ହଇରାଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଓୟୋ ହୋଟେଲ୍ ଯାଇ ତାଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଛି। ରାଜି ନ ହେଲେ ଆତ୍ମହତ୍ୟା କରିବ ଓ ଏଥିପାଇଁ ଯୁବତୀଙ୍କୁ ଦାୟୀ କରି ସୁଇସାଇଡ୍‌ ନୋଟ୍‌ ଲେଖିବ ବୋଲି ଧମକ ଚମକ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଏମିତି ବାରମ୍ବାର ଫୋନ୍‌ କରି ହଇରାଣ କରିବାରୁ ଯୁବତୀଜଣଙ୍କ ତା’ ନମ୍ବରକୁ ବ୍ଲକ୍ କରିଦେଇଥିଲେ । କିନ୍ତୁ ସେ ଆଉ ଏକ ନମ୍ବରରୁ ଫୋନ୍ କରି ତାଙ୍କୁ ହଇରାଣ କରିଥିଲା । ତେଣୁ ଏପରି ଲଗାତାର ଭାବରେ ହଇରାଣ କରିବାରୁ ଯୁବତୀଜଣଙ୍କ ସୋମବାର ଦିନ ଆଗୁଆ ଥାନାର ଦ୍ବାରସ୍ଥ ହୋ‌ଇ ପୁଲିସର ସହାୟତା ଲୋଡ଼ିଛନ୍ତି।

Get real time updates directly on you device, subscribe now.