fbpx

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ ପାଇଁ ନାଗରିକ ସଂଯୋଗ କାର୍ଯ୍ୟକ୍ରମ: ୪ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବିଗତ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣର ପ୍ରକ୍ରିୟା ସାରା ଭାରତରେ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ପୂର୍ଣ୍ଣ ରୂପେ ସାମିଲ ହେବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ତରଫରୁ ସ୍ୱତନ୍ତ୍ର ଯୋଜନା ହୋଇଛି । ଏହି ଅନୁଯାୟୀ ସମସ୍ତ ଜୋନ୍ ଏବଂ ୱାର୍ଡ଼ରେ ଆରମ୍ଭ ହୋଇଛି ନାଗରିକ ସଂଯୋଗ କାର୍ଯ୍ୟକ୍ରମ । ସଫେଇ କର୍ମରୀଙ୍କୁ ନେଇ ଆରମ୍ଭ ହୋଇଛି ୪ ଦିନିଆ ପ୍ରଶିକ୍ଷଣ । ଗତକାଲି ଠାରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣରେ ବିଭିନ୍ନ ୱାର୍ଡ଼ରେ କାମ କରୁଥିବା ସଫେଇ କର୍ମୀ କିପରି ନିଜର କାର୍ଯ୍ୟ ପରିସରରେ ସୁରୁଖୁରୁରେ ଏବଂ ସୁରକ୍ଷିତ ଭାବେ ନାଗରିକ ମାନଙ୍କୁ ସେବା ଦେଇପାରିବେ ତଥା ସ୍ୱଚ୍ଛତାର ବାର୍ତା ଜଣାଇପାରିବେ ତାହା ଏହି ପ୍ରଶିକ୍ଷଣରେ ଆଲୋଚିତ ହୋଇଛି ।
ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି ଏଫ୍ ଏ ଆର୍ ର ସହଯୋଗରେ ସ୍ଥାନୀୟ ୟୁନିଟ୍-୬ କଲ୍ୟାଣମଣ୍ଡପ ଠାରେ ଏହି ୪ ଦିନିଆ ପ୍ରଶିକ୍ଷଣକୁ ବି ଏମ୍ ସି ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଉଦ୍ଘାଟନ କରିଛନ୍ତି । ଆଜିର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା କିଟ୍ (ପି ପି ଇ କିଟ୍) ଦେବାପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବି ଏମ୍ ସି ର ସ୍ୱଚ୍ଛତା ଆମ୍ବାସଡ଼ର୍ ତଥା ନିଖିଳ ଭାରତ କିନ୍ନର ମହାସଂଘ ପୂର୍ବାଂଚଳର ସଦସ୍ୟା ମୀରା ପରିଡ଼ା ଏବଂ ବି ଏମ୍ ସି ର ଉପ ଆୟୁକ୍ତ ପରିମଳ ଶୁଭେନ୍ଦୁ କୁମାର ସାହୁ ।
କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଫେଇ କର୍ମ•ରୀମାନେ କିପରି ଭାବେ ଖରା, ବର୍ଷା ଏବଂ ଶୀତକୁ ଖାତିର ନକରି ସହରର ପରିମଳକୁ ବଜାୟ ରଖିଛନ୍ତି ଏବଂ ସେମାନଙ୍କ ବ୍ୟତୀତ ସହରବାସୀଙ୍କର ସ୍ୱଚ୍ଛତା ଏବଂ ସୁସ୍ଥତା ଆସିପାରିବ ନାହିଁ । ତେଣୁ ଏହିଭଳି ସେବକ ସେବିକାଙ୍କ ସମୟ ଉପଯୋଗୀ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ପ୍ରଶାସନର ନୈତିକ ଦାୟିତ୍ୱ ହୋଇଥିବା ବେଳେ ବିଭିନ୍ନ ଯୋଜନା ଅଧିନରେ ଏହି ବର୍ଗଙ୍କର ପ୍ରଶିକ୍ଷଣ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ସୁରକ୍ଷା କିଟ୍ ଦେବା ତଥା ଆବଶ୍ୟକ କରୁଥିବା ସଫେଇ କର୍ମୀଙ୍କୁ ସ୍ୱତନ୍ତ୍ର ସବ୍ସିଡ଼ି ମାଧ୍ୟମରେ ବିଭିନ୍ନ ସଫେଇ ଉପକରଣ ପାଇଁ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ଉପ ଆୟୁକ୍ତ ପରିମଳ ଶୁଭେନ୍ଦୁ କୁମାର ସାହୁ ।
ପ୍ରଶିକ୍ଷଣର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ବି ଏମ୍ ସି ର ସ୍ୱଚ୍ଛତା ଆମ୍ବାସଡ଼ର୍ ମୀରା ପରିଡ଼ା କହିଲେ ଯେ, ସମାଜରେ ଏହିଭଳି ବର୍ଗଙ୍କର ସେବା କରି ଆସୁଥିବା ବେଳେ ଆଜି ଦିନରେ ଭୁବନେଶ୍ୱର ମହାନଗର ନିଗମ ମୋତେ ସ୍ୱଚ୍ଛଦୁତ ହେବାର ସୁଯୋଗ ଦେଇଛନ୍ତି ଯାହା ମୋର ସେବା ମନବୃତିକୁ ବହୁଗୁଣିତ କରିଦେଇଛି । ଭୁବନେଶ୍ୱର ସହର ଦେଶର ଅନ୍ୟତମ ସ୍ମାର୍ଟସିଟି ହୋଇଥିବା ବେଳେ ସଫେଇ କର୍ମୀ ଭାଇଭଉଣୀଙ୍କୁ ନେଇ ଆମ ନାଗରିକମାନେ ହୃଦୟର ସହିତ ରାଜଧାନୀର ପରିମଳକୁ ଆଗେଇ ନିଅନ୍ତୁ ଏବଂ ପୃଥକ୍ ବର୍ଜ୍ୟ ବି ଏମ୍ ସି ର ସଫେଇ ଗାଡ଼ିରେ ଦିଅନ୍ତୁ ବୋଲି ଅନୁରୋଧ ଜଣାଇଛନ୍ତି ।
ଅନ୍ୟ ପକ୍ଷରେ ଭୁବନେଶ୍ୱରର ବିଭିନ୍ନ ୱାର୍ଡ଼ରେ ଆରମ୍ଭ ହୋଇଯାଇଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ ପାଇଁ ସଚେତନତା ଯାତ୍ରା । ଆଜି ତିନୋଟି ପ୍ରଶାସନିକ ଜୋନ୍ରେ କରାଯାଇଛି ପଥପ୍ରାନ୍ତ ନାଟକ । ଦକ୍ଷିଣ-ପଶ୍ଚିମ ଜୋନ୍ ର ୱାର୍ଡ଼ ନଂ-୬୩ ସ୍ଥିତ ତପୋବନ ବସ୍ତି, ଉତର ଜୋନ୍ ର ୱାର୍ଡ଼ ନଂ-୨୧ ସ୍ଥିତ ସାଲିଆସାହି ବସ୍ତିର ନିରଙ୍କାରୀ ନଗର ଏବଂ ଦକ୍ଷିଣ-ପୂର୍ବ ଜୋନ୍ ର ୱାର୍ଡ଼ ନଂ-୫୭ ସ୍ଥିତ ବଡ଼ଗଡ଼ କଲ୍ୟାଣମଣ୍ଡପ ସମ୍ମୁଖରେ ପ୍ରଦର୍ଶିତ ହୋଇଛି ଏହି ପଥପ୍ରାନ୍ତ ନାଟକ । ବି ଏମ୍ ସି ଏବଂ ସି ଏଫ୍ ଏ ଆର୍ ର ମିଳିତ ଆନୁକୁଲ୍ୟରେ ତଥା ଅଂଚଳର ସ୍ୱଚ୍ଛସାଥି ମାନଙ୍କ ସଂଯୋଜନାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବିଭିନ୍ନ କିଶୋର କିଶୋରୀ ମାନଙ୍କୁ ନେଇ ନାଟକରେ ଲୋକଗୀତର ତାଳେ ତାଳେ ବର୍ଜ୍ୟର ପୃଥକୀକରଣରେ ନାଗରିକମାନଙ୍କ ଦାୟିତ୍ୱ ଓ ସହଯୋଗକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସହରର ସ୍ୱଚ୍ଛତା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର (ଏମ୍ ସି ସି) ଏବଂ ମ୍ୟାଟେଣିଆଲ୍ ରିକଭରି ଫ୍ୟାସିଲିଟି (ଏମ୍ ଆର୍ ଏଫ୍) ର ପରି•ଳନା ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ର ବର୍ଜନ ଇତ୍ୟାଦି ବିଷୟରେ ନାଗରିକ ସହଯୋଗ ଲୋଡ଼ାଯାଉଛି ଏବଂ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ ରେ ଭୁବନେଶ୍ୱରକୁ ଅଗ୍ରଣୀ କରିବା ପାଇଁ ବାର୍ତାମାନ ଦିଆଯାଉଅଛି ।

Get real time updates directly on you device, subscribe now.