fbpx

ସାବଧାନ୍! ଏହି ତାରିଖ ପର୍ଯ୍ୟନ୍ତ ଦେଶରେ ପ୍ରତିଦିନ ଚିହ୍ନଟ ହେବେ ୧୦ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦିନୁଆରେ ହାହାକାର ସୃଷ୍ଟି ହୋଇଛି । ଓମିକ୍ରନ ଯୋଗୁଁ ଭାରତରେ ତୃତୀୟ ଲହର ଆସିଯାଇଛି । ବିଶେଷଜ୍ଞଙ୍କ କହିବା ମୁତାବକ, ଜାନୁଆରୀରେ ତୃତୀୟ ଲହର ପିକ୍ କରିବ । ଅର୍ଥାତ୍ ଚଳିତ ମାସରେ କରୋନା ମାମଲା ରେକର୍ଡ ସୃଷ୍ଟି କରିପାରେ । ଆଇଆଇଏସସି ଓ ଆଇଏସଆଇ ମୁତାବକ, ଜାନୁଆରୀର ଶେଷ ସପ୍ତାହରେ ପ୍ରତିଦିନ ୧୦ ଲକ୍ଷ ମାମଲା ଚିହ୍ନଟ ହେବ । ତେବେ ଆଜି ଦେଶରେ ୧ ଲକ୍ଷରୁ ଅଧିକ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ଆକଳନ କରାଯାଉଛି ବୋଲି ଆଇଆଇଏସସି ଓ ଆଇଏସଆଇର ଟିମ୍ କହିଛି । ଅଧ୍ୟୟନରେ କୁହାଯାଇଛି ଯେ, ଜାନୁଆରୀର ଶେଷ ସପ୍ତାହରେ କରୋନାର ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିବ ଓ ଏହାର ପ୍ରଭାବ ଫେବ୍ରୁଆରୀରେ ଦେଖିବାକୁ ମିଳିବ । ଅଲଗା ଅଲଗା ରାଜ୍ୟରେ ଅଲଗା ପିକ୍ ହେବ । ଏହା ସହିତ ମାର୍ଚ୍ଚରେ କରୋନା ମାମଲା କମ୍ ହେବା ଆରମ୍ଭ କରିବ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୨୬ ହଜାର ୩୮୬ରେ ପହଞ୍ଚିଛି ।୨୪ ଘଣ୍ଟାରେ ୩୦ ହଜାର ୮୩୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ରେ ପହଞ୍ଚିଛି । ୩ ଲକ୍ଷ ୭୧ ହଜାର ୩୬୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୯ କୋଟି ୬୬ ଲକ୍ଷ ୮୧ ହଜାର ୧୫୬ ଜଣ ଲୋକଙ୍କୁ ଟିକାକରଣ କରାଯାଇଛି । ଦିନକରେ ୩୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ଦେଶରେ ମୋଟ ମୃତୁସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୦୭ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓ ଦିଲ୍ଲୀରୁ ୪୬୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୧୯୯ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.