ନୂଆଦିଲ୍ଲୀ : ଯେମିତି ଦିନେ ସାରା ବିଶ୍ୱ ଭାରତ ସହିତ ଏକାସଙ୍ଗେ ଯୋଗ କରିଥିଲା ସେହିଭଳି ଆଗାମୀ ଜାନୁୟାରୀ ୧୪ ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସାରା ବିଶ୍ୱ ସୂର୍ଯ୍ୟଙ୍କ ସମ୍ମାନରେ ‘ସୂର୍ଯ୍ୟ ନମସ୍କାର’ କରିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସାରା ବିଶ୍ୱକୁ ନିଜର ଆଲୋକରେ ଆଲୋକିତ କରିଆସୁଥିବା ସୂର୍ଯ୍ୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ତାଙ୍କୁ ପ୍ରଣାମ କରିବା ଲାଗି ସାରା ବିଶ୍ୱରେ ପ୍ରାୟ ୭୫ ଲକ୍ଷ ଲୋକ ‘ସୂର୍ଯ୍ୟ ନମସ୍କାର’ କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ପ୍ରକାଶଥାଉ କି, ସୂର୍ଯ୍ୟ ନମସ୍କାର ଯୋଗୁଁ ଆମ ଶରୀରକୁ ଊର୍ଜା ମିଳିଥାଏ । ସୂର୍ଯ୍ୟଙ୍କ ପ୍ରଥମ କିରଣ ଶରୀର ଉପରେ ପଡ଼ିଲେ ଏହା ଦେହରେ ଓଜଃ ଓ ସ୍ଫୃର୍ତ୍ତି ଭରିଦେଇଥାଏ ବୋଲି ଆୟୁଷ ମନ୍ତ୍ରଣାଳୟ କହିଛି । ପୁନଶ୍ଚ ଡାକ୍ତରୀ ଚିକିତ୍ସା ଓ ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରତ୍ୟେକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଜଣାପଡ଼ିଛି । ଶରୀରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ଆମ ଦେହରେ ଭିଟାମିନ-ଡି ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକମାନେ କହିସାରିଛନ୍ତି । ତେଣେ ସୂର୍ଯ୍ୟ ନମସ୍କାର ଜରିଆରେ ସମଗ୍ର ବିଶ୍ୱକୁ ବର୍ତ୍ତମାନ ଦ୍ରୁତଗତିରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂକୁ ନେଇ ଚେତାଇ ଦେବାକୁ ଚାହୁଁଛି ଆୟୁଷ ମନ୍ତ୍ରଣାଳୟ । ଏଣୁ ଲୋକଙ୍କୁ ସୂର୍ଯ୍ୟ ନମସ୍କାର ଦ୍ୱାରା ଅଧିକ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଆସନ୍ତା ୧୪ ତାରିଖରେ ଆୟୁଷ ମନ୍ତ୍ରଣାଳୟ ଏଭଳି କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଛି ।