fbpx

ତେଲଦରରେ ବ୍ରେକ୍ ଲାଗୁନି: ବଢିବା ନେଇ ଆଶଙ୍କା, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ପୁଣି ତୈଳଦର ବଢ଼ିବା ଆଶଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ । ଅଶୋଧିତ ତୈଳଦର ୭ ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮ ଡଲାର ପାର୍ କରିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮.୧୪ ଡଲାର ରହିଛି ।

୨୦୨୨ ନୂଆବର୍ଷରେ ଅଶୋଧିତ ତୈଳଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଗତ ୪ ସପ୍ତାହ ଧରି ଲଗାତାର ଭାବେ ଅଶୋଧିତ ତୈଳଦର ବୃଦ୍ଧି ପାଇ ଚାଲିଛି । ମହାମାରୀ କୋଭିଡ୍ ପରେ ଚାହିଦା ବୃଦ୍ଧି ଯୋଗୁଁ ଅଶୋଧିତ ତୈଳଦର ବଢ଼ୁଥିବା ବେଳେ ଆଗକୁ ଆହୁରି ବଢ଼ିପାରେ । ଏପରିକି ଜୁନ୍ ସୁଦ୍ଧା ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।

୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୬୮.୮୭ ଡଲାର୍ ରହିଥିଲା । ଯାହାକି ବଢ଼ି ବଢ଼ି ୨୦୨୨ ଜାନୁଆରୀ ତୃତୀୟ ସପ୍ତାହ ମାତ୍ର ୫୦ ଦିନରେ ୮୮ ଡଲାର ପାର୍ କରିଛି । ଅର୍ଥାତ୍ ଦେଢ଼ ମାସ ଭିତରେ ଅଶୋଧିତ ତୈଳଦର ୨୯ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ସରକାରୀ ତେଲ କମ୍ପାନୀ ଅଧିକ ଟଙ୍କା ଦେଇ ଅଶୋଧିତ ତୈଳ କିଣୁଛନ୍ତି । ତେବେ, ଆଶ୍ଚର୍ୟ୍ୟର କଥା ହେଉଛି ବିଗତ ଦେଢ଼ମାସ ହେଲା ଅଶୋଧିତ ତୈଳଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ସ୍ଥିର ରହିଛି ।

ପ୍ରଶ୍ନ ଉଠୁଛି କଣ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସରକାରଙ୍କ ଚାପରେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଦର ବଢ଼ାଉ ନାହାଁନ୍ତି । ଯେତେବେଳେ କି ତେଲ କମ୍ପାନୀ ୨୦୨୨ ଜାନୁଆରୀରେ ଉଡ଼ାଜାହାଜ ତୈଳଦର ଦୁଇଥର ବଢ଼ାଇ ସାରିଲେଣି ।

ଅଶୋଧିତ ତୈଳଦର ବଢ଼ୁଥିବାରୁ ସରକାରୀ ତେଲ କମ୍ପାନୀ କ୍ଷତି ସହୁଛନ୍ତି । ଅଶୋଧିତ ତୈଳଦରରେ ପ୍ରତି ୧ ଡଲାର ବୃଦ୍ଧି ଉପରେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ୪୦ ପଇସା ବୃଦ୍ଧି କରିଥାନ୍ତି । ସେହି ଅନୁସାରେ, ୨୦୨୧ ଡିସେମ୍ବର ୧ରୁ ଆଜି ଯାଏ ଦେଖିଲେ ୫୦ ଦିନରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୨୦ ଡଲାର ବୃଦ୍ଧି ପାଇଛି । ଅଶୋଧିତ ତୈଳଦର ୫ ଡଲାର ମହଙ୍ଗା ହେବା ପରେ ଡିଜେଲ ଓ ପେଟ୍ରୋଲ ଦର ୨ ଟଙ୍କା ବଢ଼ିଥାଏ । ଏଥିସହ ଟଙ୍କା ତୁଳନରେ ଦୁର୍ବଳ ଡଲାରକୁ ମିଶାଇଲେ ତେଲ କମ୍ପାନୀ କ୍ଷତି ଭରଣା ପାଇଁ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ଅତି କମରେ ୫ ଟଙ୍କା ବୃଦ୍ଧି କରିଥାନ୍ତେ । କୁହାଯାଉଛି ନିର୍ବାଚନ ସରକାରୀ ତେଲ କମ୍ପାନୀଙ୍କ ହାତ ବାନ୍ଧି ଦେଇଛି ।

Get real time updates directly on you device, subscribe now.