fbpx

ମୃତ୍ୟୁ ପରେ ବି ହୋଇଗଲେ ଅମର: ସଂସାର ଛାଡ଼ିବା ପୂର୍ବରୁ ୫ଜଣଙ୍କୁ ନୂଆ ଜୀବନ ଦେଇଗଲେ ସୁଶିଲ

ବ୍ରହ୍ମପୁର/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ମଣିଷର କର୍ମ ତାକୁ ବେଳେବେଳେ ଅମର କରି ରଖିଥାଏ । ତାର ଜୀବନ ମଧ୍ୟ ସାର୍ଥକତା ଲାଭ କରିଥାଏ । ତେବେ ଗଞ୍ଜାମରୁ ସୁଦୂର ସୁରଟକୁ କର୍ମସଂସ୍ଥାନ ଖୋଜିବାକୁ ଯାଇ ମୃତ୍ୟୁବରଣ କରିଥିବା ଜଣେ ଯୁବକ ମୃତ୍ୟୁ ପରେ ବି ଅମର ହୋଇ ଯାଇଛନ୍ତି । ୫ଜଣଙ୍କୁ ନୂଆ ଜୀବନ ଦେଇ ସମସ୍ତଙ୍କ ହୃଦୟରେ ସେ ସ୍ଥାନ ପାଇଛନ୍ତି । ଏହି ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଅଲାଣ୍ଡି ଅଞ୍ଚଳର ସୁଶିଲ ସାହୁ ।

ସୁଶିଲ କର୍ମସଂସ୍ଥାନ ଉଦ୍ଦେଶ୍ୟରେ ସୁରଟ ଯାଇ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ୪ ଦିନ ତଳେ କାମ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ । ଏପରିକି ତାଙ୍କର ଚେତା ମଧ୍ୟ ଉଡ଼ିଯାଇଥିଲା । ସାଥୀ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସୁଶିଲଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ । ତାଙ୍କୁ ୩୬ ଘଣ୍ଟା ଅବ୍‌ଜରଭେସନରେ ରଖାଯିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖା ଦେଇ ନଥିଲା । ଫଳରେ ସୁଶିଲଙ୍କ ପରିବାରବର୍ଗ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ସୁଶିଲଙ୍କ ହାର୍ଟ, ଲିଭର, କିଡନୀ, ଚକ୍ଷୁ ଅନ୍ୟ ୫ଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଫଳରେ ସେହି ୫ଜଣ ନୂଆ ଜୀବନ ପାଇଛନ୍ତି । ମୃତ୍ୟୁ ପରେ ବି ଅମର ହୋଇ ରହିଯାଇଛନ୍ତି ସୁଶିଲ । ତେବେ ସୁରଟରୁ ଓଡ଼ିଶା ଓ ମୋ ପରିବାର ସହାୟତାରେ ତାଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ଜନ୍ମମାଟି ଅଲାଣ୍ଡିକୁ ନିଆଯାଇ ସକ୍ରାର କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ମୃତଦେହ ପହଞ୍ଚିବା ପରେ ପରିବାରବର୍ଗଙ୍କ କାନ୍ଦବୋବାଳିରେ ସମଗ୍ର ପରିବେଶ କାରୂଣ୍ୟ ହୋଇ ଉଠିଥିଲା । ତେବେ ସୁଶିଲଙ୍କ ପରିବାରର ଏହି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସୁଶିଲଙ୍କ ସାନଭାଇ କହିଛନ୍ତି ଯେ ଯେତେବେଳେ ଭାଇର ବ୍ରେନ୍‌ ଡେଡ୍‌ ହୋଇଗଲା, ସେତେବେଳେ ମୁଁ ପରିବାର ସହ ଆଲୋଚନା କରି ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲୁ । ଯଦି ମୋ ଭାଇର ଅଙ୍ଗଦାନ ବଦଳରେ ଆଉ କାହାର ଜୀବନ ବଞ୍ଚିଯାଏ ତେବେ ଏହା ଆମପାଇଁ ଆଶୀର୍ବାଦ ପରି ହୋଇପାରିବ । ଲୋକେ ମଧ୍ୟ ଭାଇକୁ ସବୁଦିନ ପାଇଁ ମନେ ରଖିବେ । ଏସବୁ ଭିତରେ ଭାଇ ଆମର ପରିବାର ପାଇଁ ଏକମାତ୍ର ରୋଜଗାରିଆ ଥିବାବେଳେ ତାର ଅବର୍ତ୍ତମାନରେ କିଭଳି ପରିବାର ପ୍ରତିପୋଷଣ କରିହେବ ସେ ନେଇ ଚିନ୍ତାରେ ପଡ଼ିଛୁ ।

Get real time updates directly on you device, subscribe now.