fbpx

Budget 2022: ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଅଜଣା କଥା ବିଷୟରେ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ଫେବୃଆରୀ ୧ରେ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ। ତାମିଲନାଡୁର ମଦୁରାଇରୁ ଆସିଥିବା ନିର୍ମଳା ବିଜେପି ମୁଖପାତ୍ରରୁ ନେଇ ଅର୍ଥ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ଲମ୍ଵା ଯାତ୍ରା ସ୍ଥିର କରିଛନ୍ତି। କୋଭିଡ୍-୧୯ ସମୟରେ ଆର୍ଥିକ ପ୍ୟାକେଜ ଘୋଷଣାଠୁ ନେଇ ଆର୍ଥିକ ସୁଧାର ଜରିଆରେ ନିର୍ମଳା ସାଧାରଣ ଜନତାଙ୍କ ଗହଣରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆସନ୍ତୁ ଜାଣିବା ଅର୍ଥ ମନ୍ତ୍ରୀଙ୍କ ଯାତ୍ରା ବିଷୟରେ…

ତାମିଲନାଡୁର ମଦୁରାଇରେ ୧୯୫୯ ଅଗଷ୍ଟ ୧୮ରେ ନିର୍ମଳା ସୀତାରମଣ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ନାରାୟଣ ସୀତାରମଣ ଏବଂ ମାଙ୍କ ନାମ ସାବିତ୍ରୀ। ନିର୍ମଳା ତିରୁଚିରାପଲ୍ଲୀର ସୀତାଲକ୍ଷ୍ମୀ ରାମାସ୍ଵାମୀ କଲେଜରୁ ଅର୍ଥନୀତିର ସ୍ନାତକ କରିଛନ୍ତି। ନିର୍ମଳା ନୂଆଦିଲ୍ଲୀରୁ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ସେ ଜେଏନୟୁରୁ ଅର୍ଥନୀତିରେ ଏମଏ ଏବଂ ପୁଣି ଏମ ଫିଲ୍ କରିଛନ୍ତି।

ନିର୍ମଳା ଲଣ୍ଡନ ସ୍ଥିତ ଏଗ୍ରିଜଲଚର ଇଞ୍ଜିନିୟର୍ସ ଆସୋସିଏସନରେ ଇକୋନୋମିକ୍ସରେ ଆସିଷ୍ଟାଣ୍ଟ ଭାବେ କାମ କରିଛନ୍ତି। ଏହା ପରେ ସେ ଲଣ୍ଡନର ପ୍ରାଇସ୍ ଓ୍ଵାଟରହାଉସରେ ସିନିୟର ମ୍ୟାନେଜର ଭାବେ କାମ କରିଛନ୍ତି। ନିର୍ମଳା କିଛି ସମୟ ପାଇଁ ବିବିସି ଓ୍ଵାର୍ଲ୍ଡ ସର୍ଭିସ୍ ସହିତ କାମ କରିଥିଲେ।

ଭାରତ ଫେରିବା ପରେ ଦାୟିତ୍ଵ ସମ୍ଭାଳିଲେ

ନିର୍ମଳା ଭାରତ ଫେରିବା ପରେ ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ପବ୍ଲିକ ପଲିସି ଷ୍ଟଡିଜରେ ଉପ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏଜୁକେସନରେ ନିଜର ରୁଚି କାରଣରୁ ସେ ହାଇଦ୍ରାବାଦରେ ପ୍ରଣଭ ନାମକ ଏକ ପ୍ରତିଷ୍ଠିତ ସ୍କୁଲ ଆରମ୍ଭ କରିଥିଲେ। ସେ ୨୦୦୩-୨୦୦୫ ପର୍ଯ୍ୟନ୍ତ ଜାତୀୟ ମହିଳା ଆୟୋଗର ସଦସ୍ୟ ଥିଲେ। ସେ ମହିଳା ସଶକ୍ତିକରଣଠୁ ନେଇ ବିଭିନ୍ନ ପ୍ରସଙ୍ଗରେ ସ୍ଵର ଉଠାଇଛନ୍ତି।

ନିର୍ମଳା ୨୦୦୮ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କୁ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଥିଲା। ୨୦୧୦ ମାର୍ଚ୍ଚରେ ପାର୍ଟି ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା। ଏହା ପରେ ସେ ପୂର୍ଣ୍ଣକାଳୀନ ଦଳୀୟ ସଦସ୍ୟ ହୋଇଥିଲେ।

ମୋଦୀଙ୍କ ପ୍ରଥମ କ୍ୟାବିନେଟରେ ମିଳିଥିଲା ସ୍ଥାନ

ନିର୍ମଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କ୍ୟାବିନେଟରେ ସାମିଲ୍ କରାଯାଇଥିଲା। ତାଙ୍କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। ତାଙ୍କୁ ୨୦୧୭ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ୨୦୧୯ରେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

ଅର୍ଥମନ୍ତ୍ରୀଙ୍କୁ ପରିଭ୍ରମଣ ବ୍ୟତୀତ ଟ୍ରାକିଂ, ମ୍ୟୁଜିକ୍ ଏବଂ ଖାଦ୍ୟ ତିଆରି କରିବାର ସଉକ ରହିଛି। ଏହା ବ୍ୟତୀତ ସ୍ପୋର୍ଟ୍ସରେ ମଧ୍ୟ ତାଙ୍କର ରୁଚି ରହିଛି।

Get real time updates directly on you device, subscribe now.