fbpx

ଜନପ୍ରତିନିଧିଙ୍କୁ ମିଳିବ ଉପଯୁକ୍ତ ସମ୍ମାନ: ଅଫିସରଙ୍କୁ ସାବାଡ଼ କରିବାକୁ ଆସିଲା କଠୋର ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଜନପ୍ରତିନିଧିଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟହେବେ ଅଫିସରମାନେ । ଜନନେତାଙ୍କ କଥା ମାନୁନଥିବା, ସମ୍ମାନ ଦେଉନଥିବା ନେଇ ପୂର୍ବରୁ ଅଫିସରଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା । ନିକଟରେ ବିଧାନସଭାର ଏଥିକ୍ସ କମିଟି ୬ଟି ଜିଲ୍ଲା ଗସ୍ତ କରିବା ପରେ ଅଫିସରଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ତେଣୁ ନୂଆ ନିଯୁକ୍ତି ପାଇଥିବା ଅଫିସରଙ୍କୁ ତାଲିମ୍ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜନପ୍ରତିନିଧିଙ୍କ ସହ କିପରି ବ୍ୟବହାର କରାଯିବ, ସେନେଇ ବିସ୍ତୃତ ବିବରଣୀ ବୁକ୍ ସର୍କୁଲାର-୪୭ରେ ଉଲ୍ଲେଖ କରାଯାଇଛି ।

ଦେଓଗଡ଼, ସୁନ୍ଦରଗଡ଼, ସୋନପୁର, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲା ଗସ୍ତ କରିବା ପରେ ଅସନ୍ତୋଷ ପ୍ରକାଶ କରିଛି ବିଧାନସଭା ଏଥିକ୍ସ କମିଟି । ଏନେଇ ସମସ୍ତ ସଚିବ, ବିଭାଗୀୟ ମୁଖ୍ୟ, ପୋଲିସ ଡିଜି, ଆଇଜି, ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ପ୍ରମୁଖ ସଚିବ । ନବନିଯୁକ୍ତ ଓଏଏସ, ଓଆରଏସ, ଓଟିଏସଙ୍କ ସହ ଅନ୍ୟ ଅଧିକାରୀମାନେ ଜନପ୍ରତିନିଧିଙ୍କୁ କିପରି ବ୍ୟବହାର କରିବେ, ସେନେଇ ଟ୍ରେନିଂ ଦେବାକୁ କୁହାଯାଇଛି ।

ବୁକ୍ ସର୍କୁଲାର-୪୭ରେ ଉଲ୍ଲେଖ ଅଛି ଯେ, ସାଂସଦ ଓ ବିଧାୟକଙ୍କୁ ଅଫିସରମାନେ ଭଦ୍ର ବ୍ୟବହାର ଦେଖାଇବେ । ଅଫିସକୁ ସାଂସଦ କିମ୍ବା ବିଧାୟକ ଆସିଲେ ଅଫିସର ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିବେ । ଜନପ୍ରତିନିଧି ଫୋନ୍ କଲେ ଅଫିସର ତୁରନ୍ତ ଫୋନ ଉଠାଇବେ, ଅନୁପସ୍ଥିତି ଥିଲେ କଲ୍ ବ୍ୟାକ୍ କରିବେ । ଜନପ୍ରତିନିଧିଙ୍କ ସହ କାର୍ଯ୍ୟ କରୁଥିବା ବେଳେ ବିଳମ୍ବ ନୀତି ଆପଣାଇବେ ନାହିଁ । ମନ୍ତ୍ରୀ, ସାଂସଦ, ବିଧାୟକ ଉପସ୍ଥିତ ଥିଲେ ଉତ୍ସବରେ ସରକାରୀ ଅଧିକାରୀ ପୌରୋହିତ୍ୟ କରିପାରିବେନି । ବୁକ୍ ସର୍କୁଲାର ୪୭ ଉଲ୍ଲଂଘର କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୂର୍ବରୁ ବର୍ଷ ବର୍ଷ ଧରି ଏହି ଅଭିଯୋଗ ଶାସକ ଓ ବିରୋଧୀ ସଦସ୍ୟଙ୍କ ପକ୍ଷରୁ କରାଯାଇଥିଲେ ହେଁ ଏବେ କିପରି କାର୍ଯ୍ୟ କରୁଛି ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.