ବାହାଘରର ଗୋଟିଏ ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଛାଡ଼ପତ୍ର

ନୂଆଦିଲ୍ଲୀ: କୁହାଯାଏ, ବିବାହ ସାତ ଜନ୍ମ ପାଇଁ । ମାତ୍ର ଆଜିକାଲିର ଯୁଗରେ ବିବାହ କେତେଦିନ ପାଇଁ ତିଷ୍ଠିବ ତାହା କହିବା ମୁସ୍କିଲ । ତେବେ ନିକଟରେ ସ୍ୱାମୀ-ସ୍ତ୍ରୀ ବିବାହ କରିବାର ଗୋଟିଏ ଦିନ ମଧ୍ୟରେ ଛାଡ଼ପତ୍ର ନେଇଛନ୍ତି । ଏହି ଘଟଣାଟି ସବୁଠାରୁ କମ୍ ସମୟର ବିବାହ ପାଇଁ ରେକର୍ଡ କରିଛି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଭଳି ଏକ ଚକିତ କଲା ଭଳି ଛାଡ଼ପତ୍ର ଖବର ସାମ୍ନାକୁ ଆସିଛି ।

ଜଣାପଡ଼ିଛି ଯେ, ୟୁଏଇରେ ୨୦୨୧ରେ ୪୫୪୨ଟି ବିବାହ ହୋଇଥିବା ବେଳେ ୬୪୮ଟି ଛାଡ଼ପତ୍ର ମାମଲା ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରେ ସବୁଠାରୁ କମ୍ ସମୟର ବିବାହ ଗୋଟିଏ ଦିନ ଓ ଅଧିକ ସମୟର ବିବାହ ୪୭ ବର୍ଷ ରହିଥିଲା । ୩୧୧ଟି ଛାଡ଼ପତ୍ର ମାମଲା ୟୁଏଇର ଦମ୍ପତିଙ୍କର ହୋଇଥିବା ବେଳେ ୧୯୪ଟି ବିଦେଶୀଙ୍କର ରହିଥିଲା । ତେବେ କିଛି ଦମ୍ପତି ବିବାହର ୩୦ ବର୍ଷ ପରେ ଓ ଆଉ କିଛି ୪୭ ବର୍ଷ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ବିବାହର ଗୋଟିଏ ଦିନ ପରେ ଛାଡ଼ପତ୍ର ଘଟଣାଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।