ନୂଆଦିଲ୍ଲୀ : ସମ୍ପ୍ରତି ଆମେରିକାରେ ୫ଜି ନେଟୱର୍କର ପ୍ରଚଳନ ପରେ ଭାରତୀୟମାନେ ମଧ୍ୟ ଉତ୍ସାହର ସହିତ ୫ଜି ମୋବାଇଲ୍ ସେବା ପାଇଁ ଅପେକ୍ଷା କରିଛନ୍ତି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହାର ସୁପାରିଶ ଦାଖଲ କଲେ ଚଳିତ ବର୍ଷ ମେ ମାସ ସୁଦ୍ଧା ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବ ବୋଲି କହିଛନ୍ତି ଟେଲିକମ୍ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ।
ଉଲ୍ଲେଖନୀୟ ବିଷୟ ହେଉଛି, ୫ଜି ସ୍ପେକ୍ଟ୍ରମର ନିଲାମ ପ୍ରକ୍ରିୟା ସମ୍ବନ୍ଧରେ ନିୟମ ଉପରେ ଟ୍ରାଇକୁ ଏହାର ସୁପାରିଶ ଦିଆଯାଇଛି । ତେବେ ମାର୍ଚ୍ଚ ସୁଦ୍ଧା ୫ଜି ନିଲାମ ପାଇଁ ସୁପାରିଶ ଦାଖଲ କରିବ ବୋଲି ଟ୍ରାଇ ସୂଚନା ଦେଇଛି । ଟେଲିକମ୍ ବିଭାଗ ଶୀଘ୍ର ନିଲାମ ପାଇଁ ଅନ୍ୟାନ୍ୟ ପ୍ରକ୍ରିୟା ସାରିବାକୁ ପ୍ରସ୍ତୁତି ଜାରି ରଖିଛି । ଏନେଇ ଟେଲିକମ୍ ସଚିବ କେ ରାଜାରାମଣ ପିଟିଆଇକୁ କହିଛନ୍ତି ଯେ, ମାର୍ଚ୍ଚ ସୁଦ୍ଧା ସେମାନେ ଏହି ସୁପାରିଶ ପଠାଇବେ । ଏହା ପରେ ନିଷ୍ପତ୍ତି ନେବାକୁ ଏକ ମାସ ସମୟ ଲାଗିବ । ଅତୀତରେ ସ୍ପେକ୍ଟ୍ରମ୍ ନିଲାମରେ ଟ୍ରାଇରୁ ସୁପାରିଶ ପାଇବା ପରେ ଟେଣ୍ଡର ପର୍ଯ୍ୟାୟ ଆରମ୍ଭ କରିବାକୁ ସରକାର ୬୦ ରୁ ୧୨୦ ଦିନ ସମୟ ନେଇଥିଲେ ।