fbpx

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କୋଟିଆରେ ବି ପଡ଼ିବ ଭୋଟ୍‌ : ମତାଧିକାର ସାବ୍ୟସ୍ତ କରିବେ ୬୨.୧୦ ଲକ୍ଷ ଭୋଟର

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଭୋଟ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୁଥ୍‌ଗୁଡ଼ିକରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ସୂଚନା ମିଳିଛି । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ମତଦାନ ପ୍ରକ୍ରିୟା ଚାଲୁ ରହିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ ଜିଲ୍ଲା ପରିଷଦ, ୧୫୧୪ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦,୪୩୬ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ମତଦାନ ଗ୍ରହଣ କରାଯିବ । ଏଥିନେଇ ୧୦,୪୩୬ ପୋଲିଂ ବୁଥ୍‌ ସ୍ଥାପନ କରାଯାଇଛି ।

ଏଥିନେଇ ବୁଧବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ତଥା ସୁରକ୍ଷାର ସହ ସମ୍ପନ୍ନ କରିବାପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଭୋଟ୍‌ ପୂର୍ବରୁ ଅନ୍ଧାରୀ ବିଜେର ନଜିର ପୂର୍ବରୁ ଥିବାରୁ ଏନେଇ ଜିଲ୍ଲାପାଳମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଭୋଟ ଗ୍ରହଣ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥ କାରବାର ଓ ମଦ ବିତରଣ ଆଦି ରୋକିବା ପାଇଁ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାପାଇଁ ନିର୍ବାଚନ କମିଶନ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବୁଧବାର ଅନୁଷ୍ଠିତ ହୋଇଥିବାବେଳେ ମତଦାନ ହାର ରହିଥିଲା ୭୭.୨ ପ୍ରତିଶତ । ବୌଦ୍ଧରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ ହୋଇଥିବାବେଳେ ତା’ ତଳକୁ ଦେବଗଡ଼ରେ ୮୩.୭୫ ପ୍ରତିଶତ ଓ ଅନୁଗୋଳରେ ୮୨.୬ ପ୍ରତିଶତ ମତଦାନ ହୋଇଥିବା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଜୋନ୍‌୧ ଜିଲ୍ଲା ପରିଷଦ ଆସନ ପାଇଁ ମଧ୍ୟ ଶୁକ୍ରବାର ଭୋଟଗ୍ରହଣ କରାଯିବ । ଏଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୫,୭୯୦ ଭୋଟର ମତଦାନ କରିବେ । ତେବେ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ସହ ହିଂସାକାଣ୍ଡ ସୃଷ୍ଟି ହୋଇଥିବାରୁ ଏହାକୁ ନଜରରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ବୁଥ୍‌ ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ମାଓ ପ୍ରଭାବିତ ଇଲାକା ଓ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ବୁଥ୍‌ରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନିର୍ବଚନ କମିଶନ ଗମ୍ଭୀରତାର ସହ ନେଇଛନ୍ତି । ୪ଟି ଜିଲ୍ଲାର ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା କମିଶନଙ୍କ ପକ୍ଷରୁ ତାଙ୍କ ସଚିବ ସୂଚନା ଦେଇଛନ୍ତି । ସେଥିମଧ୍ୟରେ ଯାଜପୁରର ୧୧, ପୁରୀର ୫, ଢେଙ୍କାନାଳର ୪ ଓ ଭଦ୍ରଖର ୫ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଥିବାବେଳେ କମିଶନ ଏ ନେଇ ତର୍ଜମା କରୁଥିବା ସଚିବ କହିଛନ୍ତି

Get real time updates directly on you device, subscribe now.