fbpx

କିଏ ଏହି ସୌରଭ କୁମାର ? ଯାହାଙ୍କୁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଆଧାରରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ବିସିସିଆଇ ଶନିବାର ରୋହିତ ଶର୍ମାଙ୍କ ନେତୃତ୍ଵରେ ଟେଷ୍ଟ ଦଳ ଘୋଷଣା କରିଛନ୍ତି। ଏଥିରେ ଉତ୍ତର ପ୍ରଦେଶର ଲେଗ୍ ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ଜାତୀୟ ଦଳରେ ସାମିଲ୍ କରାଯାଇଛି। ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ ଯିଏ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ପାରିଛନ୍ତି। ୨୮ ବର୍ଷୀୟ ସୌରଭ କୁମାର ଉତ୍ତର ପ୍ରଦେଶର ବାଗପତ ନିବାସୀ। ସେ ଜଣେ ଲେଗ୍ ସ୍ପିନର ସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଯୋଗଦାନ ଦେଇ ପାରନ୍ତି। ସୌରଭଙ୍କୁ ୨୦୨୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ନେଟ୍ ବୋଲର ହିସାବରେ ଚୟନ କରାଯାଇଥିଲା। ସେ ସୈୟଦ ମୁସ୍ତାକ ଅଲୀ, ରଣଜୀ ଟ୍ରଫି ଏବଂ ଦୁଲିପ ଟ୍ରଫିରେ ମଧ୍ୟ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଥିଲେ।

ସୌରଭଙ୍କ କ୍ୟାରିୟର ଉପରେ ନଜର ପକାଇଲେ, ସେ ୪୬ଟି ମ୍ୟାଚ୍ରେ ୨୪.୧୫ ହାରରେ ୧୯୬ ଓ୍ଵିକେଟ୍ ହାସଲ କରିଛନ୍ତି। ଏହି ସମୟରେ ସେ ୧୬ ଥର ୫ ଓ୍ଵିକେଟ୍ ଏବଂ ଛଅ ଥର ୧୦ ଓ୍ଵିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୫ ରନ ଦେଇ ୧୪ ଓ୍ଵିକେଟ୍ ହାସଲ। ଏହାବାଦ୍ ସୌରଭ ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ସେ ପାଖାପାଖି ୩୦ ହାରରେ ୧୫୭୨ ରନ କରିଛନ୍ତି। ଏଥିରେ ଦୁଇ ଶତକ ଏବଂ ଆଠ ଅର୍ଦ୍ଧଶତକ ସାମିଲ୍। ସୌରଭ ୨୦୧୮/୧୯ ରଣଜୀ ସିଜିନରେ ୧୦ଟି ମ୍ୟାଚ୍ରେ ୫୧ ଓ୍ଵିକେଟ୍ ଦଖଲ କରିଛନ୍ତି। ଏହି ସମୟରେ ସେ ୫ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି। ସୌରଭ ଆଇପିଏଲରେ ୨୦୧୭ରେ ରାଇଜିଙ୍ଗ ପୁଣେ ସୁପର ଜାୟଣ୍ଟସର ପ୍ରତିନିଧିତ୍ଵ କରିଛନ୍ତି। ଏହା ପରେ ୨୦୨୧ରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ଦଳରେ ସାମିଲ୍ କରିଥିଲା

Get real time updates directly on you device, subscribe now.