ଜୟପୁର: ରାଜସ୍ଥାନରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ନରମ ହିନ୍ଦୁତ୍ଵର ସାହାରା ନେଉଥିବା ଦେଖିବାକୁ ମିଳିଛି। ରାଜସ୍ଥାନରେ କଂଗ୍ରେସ ନେତୃତ୍ଵାଧୀନ ଅଶୋକ ଗେହଲଟ ସରକାର ଭାଗବତ କଥାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଗେହଲଟ ସରକାରଙ୍କ ଉପରେ ଟାର୍ଗେଟ୍ କରିଛି ବିଜେପି। ନିଜର ବିଫଳତା ଏବଂ ପ୍ରୋ ମୁସଲିମ ଛବିକୁ ସୁଧାରିବା ପାଇଁ ଏବେ ଗେହଲଟର ସରକାର ହିନ୍ଦୁତ୍ଵର ନାଟକବାଜି କରୁଥିବା ବିଜେପି କହିଛି। କିନ୍ତୁ ସରକାରଙ୍କ କହିବା କଥା ଏଥିରେ ଶାନ୍ତି ଏବଂ ସଦଭାବନା ବଢିବ।
ବୋଧହୁଏ ପ୍ରଥମ ଥର ରାଜସ୍ଥାନ ସରକାରର ଦେବସ୍ଥାନ ବିଭାଗ ପ୍ରଥମ ଥର ଭଗବତ କଥାର ଆୟୋଜନ କରୁଛି। ସପ୍ତାହେ ଧରି ହେବାକୁ ଥିବା ଏହି କଥା ମାର୍ଚ୍ଚ ୧ ଅର୍ଥାତ ମହାଶିବରାତ୍ରିରୁ ଆରମ୍ଭ ହେଉଛି। ଜୟପୁରର ଏକ ମନ୍ଦିରରୁ ଏହାର ଶୁଭାରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ଖୋଦ୍ କଳସ ଯାତ୍ରାରେ ସାମିଲ୍ ହେବେ।
ବିଭାଗୀୟ ମନ୍ତ୍ରୀ ଶଙ୍କୁତଳା ରାଓ୍ଵତ କହିଛନ୍ତି, ଏହି କଥାର ଆୟୋଜନ ରାଜ୍ୟର ସମୃଦ୍ଧି ପାଇଁ କରାଯାଇଛି। ଯେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟର ବଜେଟ୍ ଉପସ୍ଥାପନ କରିଥିଲେ, ସେହି ସମୟରେ ମଧ୍ୟ ସେ ରାଜ୍ୟର ସମସ୍ତ ବର୍ଗଙ୍କ ସହିତ ନେଇ ଚାଲିବା ଏବଂ ଶାନ୍ତି ସଦଭାବନା ବିଷୟ ଉପରେ ଗୁରୁତ୍ଵାରୋପ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଏହା ତ କେବଳ ଏକ ଆରମ୍ଭ। ଆଗାମୀ ଦିନରେ ସୁନ୍ଦର କାଣ୍ଡ, ରାମ କଥା ଏବଂ ଧାର୍ମିକ କାର୍ୟ୍ୟକ୍ରମ ଦେବସ୍ଥାନ ସ୍ଥିତ ବଡ ବଡ ମନ୍ଦିରରେ ଆୟୋଜନ କରାଯିବ। ବୋଧହୁଏ ରାଜ୍ୟରେ ପ୍ରଥମ ଥର ଏମିତି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ଟିପ୍ପଣୀ ଉପରେ ରାଓ୍ଵତ କହିଛନ୍ତି କଂଗ୍ରେସ ସମସ୍ତ ଧର୍ମର ଆଦର କରିବାରେ ବିଶ୍ଵାସ କରିଥାଏ।
ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଧାୟକ ବାସୁଦେବ ଦେବନାନୀ କହିଛନ୍ତି, କଂଗ୍ରେସ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏବଂ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏସବୁ ପ୍ରହସନ କରୁଛି। ଏହି ଧରଣର କାର୍ୟ୍ୟକ୍ରମ ଆୟୋଜନ କରି ରାଜ୍ୟବାସୀଙ୍କୁ ପ୍ରଲୋଭିତ କରିବାକୁ ଚାହୁଁଛି। ମାତ୍ର କଂଗ୍ରେସ ଏଥିରେ ସଫଳ ହେବ ନାହିଁ। କାରଣ ଏହି ସରକାରର ବିଫଳତା ବିଷୟରେ ଲୋକେ ସବୁ ଜାଣିଛନ୍ତି।