fbpx

ଜୁନରେ ଆୟରଲାଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ, ଖେଳିବେ ନାହିଁ ରୋହିତ, ବିରାଟ ଓ ବୁମରା

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଛି। ଏହା ପରେ ଖେଳାଳି ଆଇପିଏଲ୍ ଖେଳିବେ। ମେ ମାସ ଶେଷ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ ଖେଳାଯିବ। ପୁଣି କିଛି ସମୟର ବିଶ୍ରାମ ପରେ ଖେଳାଳି ଇଂଲଣ୍ଡ ଗସ୍ତ କରିବେ। ସେଠାରେ ଭାରତୀୟ ଦଳ ଗୋଟିଏ ଟେଷ୍ଟ ଏବଂ ତିନି ମ୍ୟାଚର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ। ସେହି ସମୟରେ ଭାରତୀୟ ଦଳ ଆୟରଲାଣ୍ଡ ଗସ୍ତ କରିବ ଏବଂ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ।

ତେବେ ୨୦୨୧ରେ ଯେମିତି ଭାରତର ଦ୍ଵିତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିଥିଲା, ଠିକ୍ ସେହି ପରି ଆୟରଲାଣ୍ଡ ଗସ୍ତ କରିବ। ୨୦୨୨ ଜୁନ ଶେଷ ଆଡକୁ ଦୁଇ ମ୍ୟାଚର ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁନ ୨୬ ଏବଂ ଦ୍ଵିତୀୟ ମ୍ୟାଚ୍ ଜୁନ ୨୮ରେ ଖେଳାଯିବ। ଭାରତର ମୁଖ୍ୟ ଦଳ ସେହି ସମୟରେ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ। ଏକ ମାତ୍ର ଟେଷ୍ଟ ଜୁଲାଇ ୧ରେ ବର୍ମିଂହାମରେ ଖେଳାଯିବ।

ଭାରତ ପାଇଁ ଭଲ ଖବର ଯେ, ସୀମିତ ଓଭରର କିଛି ଖେଳାଳିଙ୍କୁ ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରସ୍ତୁତି ପାଇଁ ସୁଯୋଗ ମିଳିବ। ତେବେ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, କେଏଲ ରାହୁଲ, ଋଷଭ ପନ୍ତ ଏବଂ ମହମ୍ମଦ ଶାମିଙ୍କ ପରି ଖେଳାଳି ନଜର ଆସିବେ ନାହିଁ। ଏହାର କାରଣ ଏହି ସବୁ ଖେଳାଳି ଜୁଲାଇ ୧ରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। କାରଣ ଏହି ଟେଷ୍ଟ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ରହିଛି।

Get real time updates directly on you device, subscribe now.