fbpx

ୟୁକ୍ରେନବାସୀଙ୍କ ସାହାରା ପାଲଟିଛି କିଭ୍ ସ୍ଥିତ ଏହି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍, ଆଶ୍ରୟ ସହିତ ମିଳୁଛି ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାକାର ସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ୟୁକ୍ରେନବାସୀଙ୍କ ସମେତ ଅନ୍ୟ ଦେଶରୁ ଆସି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଏହା ଭିତରେ ୟୁକ୍ରେନ ରାଜଧାନୀ କିଭ୍ ରେ ଥିବା ଏକ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍ ଭାରତୀୟ ଛାତ୍ର ଓ ୟୁକ୍ରେନୀ ନାଗରିକଙ୍କ ପାଇଁ ସାହାରା ହୋଇ ସାମନାକୁ ଆସିଛି । ଏହି ରେଷ୍ଟୁରାଣ୍ଟ ଲୋକଙ୍କୁ ମାଗଣା ଖାଦ୍ୟ ସହିତ ଆଶ୍ରୟ ମଧ୍ୟ ଦେଉଛି ।

ମିଡିଆ ରିପୋର୍ଟ ମୁତାବକ, ଯୁଦ୍ଧ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୭୦ ଜଣଙ୍କୁ ଏଠାରେ ଆଶ୍ରୟ ଦିଆଯାଇଛି । ଏହାର ନାମ ହେଉଛି “ସାଥିଆଁ” । ରେଷ୍ଟୁରାଣ୍ଟ ମାଲିକ ମନୀଷ ଦେବ ଏ ସମ୍ବନ୍ଧରେ କହିଛନ୍ତି ଯେ, ଚୋକୋଲିସ୍ୱକୀ ବୁଲୱାର୍ଡର ବେସମେଣ୍ଟ୍ ରେ ଥିବା କାରଣରୁ ଏହି ରେଷ୍ଟୁରାଣ୍ଟ୍ ଏକପ୍ରକାର ବଙ୍କର୍ ବା ସୁଡ଼ଙ୍ଗ ସଦୃଶ ପାଲଟିଯାଇଛି । ଏଠାରେ ଲୋକେ ଆସି ଆଶ୍ରୟ ନେଉଛନ୍ତି । ଗୁରୁବାର ଦିନ ଯୁଦ୍ଧ ହେବା ସମୟରେ ଲୋକମାନେ ନିଜ ନିଜ ଜିନିଷ ଧରି ସାଥିଆଁ ରେଷ୍ଟୁରାଣ୍ଟକୁ ଚାଲିଆସିଥିଲେ । ଏଠାରେ ଲୋକଙ୍କୁ ଚିକେନ୍ ବିରିୟାନି ଖାଇବାକୁ ଦିଆଯାଇଥିଲା ।

ରେଷ୍ଟୁରାଣ୍ଟ୍ ମାଲିକ ମନୀଷ କହିଛନ୍ତି ଯେ, “ଅନେକ ୟୁକ୍ରେନୀ ନାଗରିକ ମୋ ରେଣ୍ଟୁରାଣ୍ଟ୍ କୁ ଏହି ଆଶା ନେଇ ଆସୁଛନ୍ତି ଯେ, ସେମାନେ ସୁରକ୍ଷିତ ରହିବେ । ଏହା ଏକ ସେଲଟର୍ ପରି ହୋଇଯାଇଛି । କାରଣ ଏହା ବେସମେଣ୍ଟ୍ ତଳେ ରହିଛି । ଆମେ ସମସ୍ତଙ୍କୁ ଖାଦ୍ୟ ଯୋଗାଉଛୁ ” । ବର୍ତ୍ତମାନ ସେଠାରେ ୧୨୫ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ସେଠାକାର କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ରାସନ ସଂଗ୍ରହ କରି ଆଶ୍ରିତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏନେଇ ଗୁଡ୍ ନାମକ ଏକ ଟୁଇଟର୍ ହ୍ୟାଣ୍ଡେଲରେ ଟୁଇଟ୍ କରି କୁହାଯାଇଛି ।

Get real time updates directly on you device, subscribe now.