fbpx

ଦୁର୍ଘଟଣା ରୋକିବାକୁ କୁକୁର ସହ ହୁଏ ବାହାଘର: ଓଡିଶାର ଏହି ସ୍ଥାନରେ ଏବେ ବି ଚାଲିଛି ଏମିତି ପରମ୍ପରା

ଢେଙ୍କାନାଳ: କୁକୁର ସାଙ୍ଗରେ ବିବାହ । କଥାଟା ଅଜବ ଲାଗୁଥିଲେ ବି ସତ । ଅନ୍ଧବିଶ୍ୱାସକୁ ଜାବୁଡି ଧରି କୁକୁର ସହ ବିବାହ ରଚାଇଥାନ୍ତି ଢେଙ୍କାନାଳର କିଛି ଗ୍ରାମବାସୀ । କିଛି ଭୁଲ ଚିନ୍ତାଧାରା ଆଉ କିଛି ମୂଲ୍ୟହୀନ କଥାକୁ ସତ ମାନି ଛୋଟ ପିଲାଙ୍କୁ ଦେଉଛନ୍ତି ଦଣ୍ଡ । କ୍ଷୀର ପାନ କରିବା ବେଳେ କୌଣସି ଶିଶୁର ପାଟିର ଉପର ପଟରେ ଦାନ୍ତ ଦେଖାଗଲେ ଏହାକୁ ନେଇ ଆରମ୍ଭ ହୁଏ ମହାଭାରତ । ଶେଷରେ ପିଲାଟିକୁ ଗୋଟିଏ କୁକୁର ସହ ବାହା କରାଇ ରିଷ୍ଟ ଖଣ୍ଡନ ହୁଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଏମିତି ଘଟଣା ଘଟୁଛି ଢେଙ୍କାନାଳ କଙ୍କଡାହାଡ ବ୍ଲକର କରଗୋଳା ଦେବଗଣ ସାହିର । ପୂର୍ବ ପୁରୁଷରୁ ଏଠି କୁକୁର ସହ ପିଲାଙ୍କ ବିବାହ ପ୍ରଥା ଚାଲି ଆସିଛି । ଏଠାକାର ଆଦିବାସୀମାନେ ଏହାକୁ ମାନି ଆସିଛନ୍ତି ଯେ କୁକୁର ସହ ବାହାଘର ନ ହେଲେ ବଡ ଦୁର୍ଘଟଣା ହେବ । ଘରେ କୌଣସି ପିଲା ମା ପାଖରୁ କ୍ଷୀର ଖାଉଥିବା ସମୟରେ ପାଟିର ଉପର ପଟରେ ଯଦି ଗୋଟିଏ ଦାନ୍ତ ଦେଖିବାକୁ ମିଳିଥାଏ, ତେବେ ଏହାକୁ ଅଶୁଭ ବୋଲି ମାନିଥାନ୍ତି ଏଠାକାର ବାସିନ୍ଦା । ଏହି ପିଲାଟିର ଗ୍ରହ ନକ୍ଷତ୍ର ଖରାପ ହେବା ସହ ପିଲାର ଦାନ୍ତକୁ କୁକୁର ଦାନ୍ତ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏମିତି ହେଲେ ଭବିଷ୍ୟତରେ ପିଲାଟିର ଅନେକ ପ୍ରକାରର ଦୁର୍ଘଟଣା ଘଟେ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ତେବେ ଏହି ଦୁର୍ଘଟଣାକୁ ଏଡାଇବା ପାଇଁ ସେମାନେ ଗୋଟିଏ କୁକୁର ସହ ଛୋଟ ବୟସରେ ହିଁ ପିଲାଟିର ବାହାଘର କରି ଦେଇଥାନ୍ତି । ମାଘ ପର୍ବର ତିନି ଦିନ ପରେ ବାଜା ବାଣ ରୋଷଣି ସହିତ ଝୁମୁରୁ ଗୀତର ତାଳେ ତାଳେ ନାଚ ଗୀତ କରି ବିବାହ କରିଥାନ୍ତି । ଆଜିକା ଯୁଗରେ ଢେଙ୍କାନାଳରେ ଏମିତି ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Get real time updates directly on you device, subscribe now.