fbpx

ପୌର ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ଶେଷ, ୧୪ରେ ଚୂଡାନ୍ତ ତାଲିକା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ବୁଧବାର ଅପରାହ୍ମରେ ପ୍ରାର୍ଥ ପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି । ୧୪ତାରିଖ ଅପରାହ୍ମ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ସେହିଦିନ ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୧୨ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥୀତ୍ୱ କାଏମ ରହିଛି । ସେହିପରି ଅଧ୍ୟକ୍ଷ ଓ ମେୟର ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୨୨ ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ କାଉନସିଲର ଓ କର୍ପୋରେଟର ପାଇଁ ୭୮ଟି ପ୍ରାର୍ଥି ପତ୍ର ନାକଚ ହୋଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ସିଧାସଳଖ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ରାଜ୍ୟର ୫୯ଟି ଏନ୍‌ଏସି, ୪୭ ମ୍ୟୁନିସପାଲିଟି ଓ ୩ଟି ମହାନଗର ନିଗମ ପାଇଁ ଭୋଟ ଗ୍ରହଣ କରାଯିବ । ଗତ ୭ତାରିଖ ସନ୍ଧ୍ୟାରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା । ୨୬ତାରିଖରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶିତ ହେବ । ଏଥର ପ୍ରତି ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ । ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରଚାର ମଇଦାନ ବେଶ୍‌ ସରଗରମ ହୋଇଉଠିଛି । ପ୍ରତି ୱାର୍ଡରେ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀଙ୍କ ସହିତ ନେତା । ଜନ ସମର୍ଥନ ଗୋଟାଇବା ପାଇଁ ଲୋକଙ୍କୁ ମଧ୍ୟ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି । ତେବେ ଲୋକଙ୍କ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନାକୁ ମୁଦ୍ଦା କରୁଛନ୍ତି ବିଜେଡି ପ୍ରାର୍ଥୀମାନେ । କଂଗ୍ରେସ ଓ ବିଜେପିର ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୌର ନିର୍ବାଚନରେ ଉଭୟ ଦଳ ନିଜ ସମ୍ମାନ ବଞ୍ଚାଇବା ପାଇଁ ନେତାମାନଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ।

Get real time updates directly on you device, subscribe now.