ପ୍ରଚଣ୍ଡ ତାତି ଜନଜୀବନ ଅସ୍ତବ୍ୟସ୍ତ, ଆସନ୍ତା ଦୁଇଦିନ ରାଜ୍ୟରେ ଅଗ୍ନି ବର୍ଷା: ହିଟ୍ୱେଭ୍ ପାଇଁ ଆକ୍ସନ ପ୍ଲାନ, ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗଡିବନି ବସ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଫଳରେ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏ ସବୁ ଭିତରେ ପାଣିାଗ ବିଭାଗର ସତର୍କ ସୂଚନା ରାଜ୍ୟବାସୀଙ୍କୁ ଅଧିକ ଆତଙ୍କିତ କରିକାଇଛି । ଆସନ୍ତା ୧୬ ଓ ୧୭ତାରିଖ ଦୁଇଦିନ ରାଜ୍ୟରେ ଅଗ୍ନି ବର୍ଷା ହେବ ବୋଲି ପାଣିାପାଗ ବିଭାଗ ସୂଚନା ଦେଇଛି । ଏହାର ମୁକାବିଲା ଲାଗି ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ମ ୩ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ବସ୍ରେ ବିଶୁଦ୍ଧ ପାନୀୟ ଜଳ ସହ ଓଆର୍ଏସ୍ ରଖାଯିବା ବାଧ୍ୟତାମୂଳକ ।
ସେହିପରି ବସ୍ଷ୍ଟପ୍ ଗୁଡିକରେ ଜଳଛତ୍ର ଖୋଲାଯିବା ସହ ବିଶ୍ରାମାଗାର ରହିବ । ଜାତୀୟ ରାଜପଥରେ ୱାଟର କିସ୍କୋ ଖୋଲାଯିବ । ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ୍ ୨୪ଘଣ୍ଟା ଖୋଲାରହିବ । ବର୍ତ୍ତମାନ ଉପାନ୍ତରୁ ଉପକୂଳ ସବୁଠି ତାତିର ପ୍ରଭାବ । ତେବେ ୧୬ ଓ ୧୭ରେ ଦିନର ତାପମାତ୍ର ୩ରୁ ୪ ଡିଗ୍ରୀ ବୃଦ୍ଧି ଘଟିବ । ଗ୍ରୀଷ୍ମ ପ୍ରବାହ ପାଇଁ ୧୬ତାରିଖରେ ବଲାଙ୍ଗୀର, ସୁବର୍ଣ୍ଣୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ତାରିଖ ପାଇଁ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବ । ଖୋର୍ଦ୍ଧା ଜିଲ୍ଲାରେ ହିଟ୍ୱେଭ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ସହରର ତାମମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ୨୧ ଓ ୨୨ତାରିଖ ବେଳକୁ ତାତି ୪୪ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।