fbpx

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ମାନସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ୍ ଖାରଜ ହୋଇଯାଇଛି । ଶର୍ମିଷ୍ଠାଙ୍କର ଆଗୁଆ ଜାମିନକୁ ହାଇକୋର୍ଟ ଖାରଜ କରିଥିବା ଜଣାପଡ଼ିଛି । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଥିଲେ ରଞ୍ଜନ ନାୟକ । ମାନସଙ୍କୁ ହତ୍ୟା କରିବା ସହ ମାଡ଼ ମାରି ନିର୍ଯାତନା ଦେବାରେ ଦୁଇଜଣଙ୍କର ଭୂମିକା ରହିଥିଲା ।

ଏକ ୱେବପୋର୍ଟାଲ ଓ ବୃଦ୍ଧାଶ୍ରମର ମାଲିକାଣୀ ଶର୍ମିଷ୍ଠା କିଛିଦିନ ଧରି ଫେରାର ରହିଛନ୍ତି । ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଧରାଛୁଅାଁ ନଦେଇ ହାଇକୋର୍ଟରୁ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ମାନସଙ୍କ ଅପହରଣ ଓ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ । ଗତ ମାସ ୭ ତାରିଖରେ ମାନସ ଏକ ବିବାହ ଉତ୍ସବର ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ତାଙ୍କୁ ସେଠାରୁ ଅପହରଣ କରାଯାଇ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ହତ୍ୟା କରି ରଣପୁରର ଏକ ପାହାଡ଼ ନିକଟରେ ମାଟିରେ ପୋତି ଦିଆଯାଇଥିଲା । ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମକୁ ବହୁ ବଡ଼ବଡ଼ିଆ ଯିବା ଆସିବା କରିବା ସହ ଅନୈତିକ କାରବାର ଚାଲୁଥିଲା । ସେ ସମସ୍ତ ଦୃଶ୍ୟର ସୁଟିଂ ମାନସ କରୁଥିବା ବେଳେ ତାଙ୍କ ପାଖରେ ପ୍ରମାଣସ୍ୱରୂପ ଏକ ମେମୋରି ଚିପ୍ ରହିଯାଇଥିଲା । ତେଣୁ ତାହା ପ୍ରଘଟ ହୋଇଗଲେ ସମସ୍ତର କଳାକାରନାମାର ଗୁମର ଖୋଲିଯିବା ଭୟରେ ମାନସଙ୍କୁ ହତ୍ୟା ପାଇଁ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ।

Get real time updates directly on you device, subscribe now.