ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨ ତାରିଖ ଅର୍ଥାତ ଶନିବାରଠୁ ସମସ୍ତ ସ୍କୁଲରେ ସକାଳୁଆ କ୍ଲାସ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବା ସହ ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା ଯାଏ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସମ୍ପ୍ରତି ରାଜ୍ୟ ତମାମ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବହୁଥିବାରୁ ଆଗାମୀ ଦିନରେ ସାରା ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲିପାଣିାଗ ବିଭାଗ ପୂର୍ବାନୁମାନ କରିଛି । ସେ ଦୃଷ୍ଟିରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବା ସହ ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା ଯାଏ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।