ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ଦର ଯୋଗୁଁ ଲୋକମାନେ ଚିନ୍ତାରେ ପଡିଛନ୍ତି । ତେଲ ଦର କମିବାର ନାଁ ନେଉନାହିଁ । ଭାରତୀୟ ତୈଳ କମ୍ପାନୀଗୁଡ଼ିକ କେବଳ ୧ ଏପ୍ରିଲକୁ ବାଦ୍ ଦେଇ ଆଜି ପୁଣି ରେଟ୍ ବଢ଼ାଇଦେଇଛନ୍ତି । ୨ ଏପ୍ରିଲ ଅର୍ଥାତ୍ ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୮୦-୮୦ ପଇସା ବୃଦ୍ଧି ପାଇଛି । ଇଣ୍ଡିଆନ୍ ଅଏଲ କର୍ପୋରେସନ ଆଇଓସିଏଲର ତାଜା ଅପଡେଟ ଅନୁସାରେ, ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ଦାମ୍ ୧୦୨.୬୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୯୩.୮୭ ଟଙ୍କା ହୋଇଛି ।
ତେବେ ୩୧ ମାର୍ଚ୍ଚରେ ବି ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୮୦-୮୦ ପଇସା ବଢ଼ିଥିଲା । ପେଟ୍ରୋଲ-ଡିଜେଲ ଦର ଗତ ୧୨ ଦିନରେ ୧୦ ଥର ମହଙ୍ଗା ହୋଇଛି । ମୁମ୍ବାଇରେ ଆଜି ଲିଟର ପିଛା ପେଟ୍ରୋଲ ଦର ୧୧୭.୫୭ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୧୦୧.୭୯ ଟଙ୍କା ହୋଇଛି । ଏହା ସହ କୋଲକାତାରେ ଲିଟର ପିଛା ପେଟ୍ରୋଲ ଦର ୧୧୨.୧୯ ଟଙ୍କା ହୋଇଥିବା ବେଳେ ଡିଜେଲ ୯୭.୦୨ ଟଙ୍କା ହୋଇଛି ।