ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହଙ୍କ ମଧ୍ୟରେ ଖୁବ ମଧୁର ସମ୍ପର୍କ ରହିଛି । କିନ୍ତୁ ଖୁବ ଶୀଘ୍ର ଏହି ଦୁଇ ହସ୍ତୀଙ୍କ ମଧ୍ୟରେ ମୁକାବିଲା ହୋଇପାରେ ବୋଲି ଆଲୋଚନା ହେଉଛି । ଖୁବ ଶୀଘ୍ର ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହ ଯୁଦ୍ଧକ୍ଷେତ୍ରରେ ଆମନାସାମନା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇସିସିର ଚେୟାରମ୍ୟାନ ପଦ ପାଇଁ ଭାରତୀୟ କ୍ରିକେଟ ବୋର୍ଡର ଏହି ୨ ହସ୍ତୀଙ୍କ ମଧ୍ୟରେ ମୁକାବିଲା ହୋଇପାରେ ବୋଲି କୁହାଯାଉଛି ।
ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ICC)ର ଚେୟାରମ୍ୟାନ ଚେୟାରମ୍ୟାନ ପଦରେ ଥିବା ଗ୍ରେଗ ବାର୍କଲେ ଅଗକୁ ଏହି ଦାୟିତ୍ୱ ନେବା ପାଇଁ ଚାହୁଁ ନାହାନ୍ତି । ୨୦୨୦ରେ ଦାୟିତ୍ୱ ଗ୍ରହଣ କରିଥିବା ବାର୍କଲେଙ୍କର କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେବାକୁ ଯାଉଛି । ତେଣୁ ତାଙ୍କ ପରେ ଚେୟାରମ୍ୟାନ ପଦ ପାଇଁ ଆସନ୍ତା ନଭେମ୍ବରରେ ନୂଆ ଅଧ୍ୟକ୍ଷଙ୍କୁ ନିୟୋଜିତ କରିପାରେ ICC । ତେବେ ଏହି ଦୌଡରେ ସବୁଠୁ ଆଗରେ ରହିଛନ୍ତି ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ । ଉଭୟ ଏହି ପଦ ପାଇଁ ଖୁବ ଆଗ୍ରହୀ ତିବାରୁ ଉଭୟଙ୍କ ମଧ୍ୟରେ ଏ ନେଇ ମୁକାବିଲା ହୋଇପାରେ ବୋଲି କୁହାଯାଉଛି ।
ଗ୍ରେଗ ବାର୍କଲେଙ୍କ ପୂର୍ବରୁ ଶଶାଙ୍କ ମନୋହର ଏହି ପଦବୀରେ ରହିଥିଲେ । ୨୦୨୦ ମସିହାରେ ତାଙ୍କ ଇସ୍ତଫା ପରେ ବାର୍କଲେଙ୍କ ଏହି ଦାୟିତ୍ୱ ଦେଇଥିଲା ICC । ତେବେ ଏମିତି ହେଲେ ଭାରତ ତରଫରୁ ICCକୁ ପ୍ରତିନିଧିତ୍ୱ କରିବାରେ ସେ ପାଲଟିବେ ପଞ୍ଚମ ଅଧିକାରୀ । ଏହା ପୂର୍ବରୁ ଜଗମୋହନ ଡାଲମିୟା (୧୯୯୭-୨୦୦୦), ଶରଦ ପାୱାର (୨୦୧୦-୨୦୧୨), ଏନ ଶ୍ରୀନିବାସନ (୨୦୧୪-୨୦୧୫) ଏବଂ ଶଶାଙ୍କ ମନୋହର (୨୦୧୫-୨୦୨୦) ଭାରତୀୟ ଭାବେ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ ।