ପାଟନା: ବିହାରର କିଶନଗଞ୍ଜର ବାହାଦୁରଗଞ୍ଜ ବ୍ଲକରେ ଏପରି ଏକ ଗାଁ ଅଛ, ଯେଉଁଠାକୁ କେହି ବି ବରଯାତ୍ରୀ ନେଇ ଯିବାକୁ ଚାହୁଁନାହାନ୍ତି । ମିଳିଥିବା ସୂଚନା ଅନୁସାରେ, ବାହାଦୁରଗଞ୍ଜ ବ୍ଲକର ଖାଡ଼ି ଟୋଲା ଗାଁର ଝିଅମାନଙ୍କ ପାଇଁ କେହି ପ୍ରସ୍ତାବ ନେଇ ଯିବାକୁ ଚାହୁଁନାହାନ୍ତି । ଏହି ଗାଁରେ ବାହାଘର ଡୋଲି ବହୁତ କଷ୍ଟରେ ଉଠେ । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ବାସ୍ତବରେ ଏହି ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ଗାଁରେ ପହଞ୍ଚିବା ପାଇଁ ନଦୀ ଉପରେ ବ୍ରିଜ ବି ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇନାହିଁ । ରାସ୍ତାଟି ପାଣିରେ ବୁଡ଼ିଯାଇଥିବା ବେଳେ ଲୋକମାନେ ମାଟି କାଦୁଅ ଭରା ରାସ୍ତାରେ ଯାଉଛନ୍ତି । ସ୍ୱାଧୀନତା ପରେ ନଦୀ ଉପରେ ପୋଲ ଓ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରୁଥିଲେ ବି ଆଜି ଯାଏ ହୋଇପାରିଲା ନାହିଁ ।
ପୁଅମାନେ ତ ବାହାରକୁ ଯାଇ ବିବାହ କରନ୍ତି, ଏଥିପାଇଁ ତାଙ୍କ ବାହାଘର ଠିକରେ ହୋଇଯାଏ । କିନ୍ତୁ ଝିଅମାନଙ୍କ ପାଇଁ ଏହା ଏତେ ସହଜ ନୁହେଁ, କାରଣ ଏପରି କୌଣସି ପୁଅଘର ସେହି ଗାଁକୁ ବରଯାତ୍ରୀ ନେଇ ଯିବାକୁ ଚାହାଁନ୍ତି ନାହିଁ । ସେଠାକୁ ଯିବାକୁ ଅସୁବିଧା ହେଉଥିବାରୁ ଗାଁରେ ଝିଅ ବାହା କରିବାକୁ ବି ଲୋକମାନେ ମନା କରୁଛନ୍ତି । ବିକାସ ଅଭାବ ଯୋଗୁଁ ଝିଅମାନଙ୍କ ଜୀବନ ନର୍କରେ ପରିଣତ ହୋଇଛି । ଝିଅମାନେ ପାଠ ପଢ଼ିବାକୁ ଚାହୁଁଥିଲେ ବି ସ୍କୁଲ ବହୂ ଦୂରରେ ଥିବାରୁ ସେମାନେ ପଢ଼ାରୁ ବଞ୍ଚିତ ହେଉଛନ୍ତି ।