ମୁମ୍ବାଇ: ଆଉ ଏକ ନୂଆ ରୂପରେ ଆସୁଛି ଚଳିତ ବର୍ଷର ସୁପରହିଟ ସିନେମା ‘ଦ କାଶ୍ମୀର ଫାଇଲ୍ସ’ । କାଶ୍ମୀରୀ ପଣ୍ଡିତ ଏବଂ ସେମାନଙ୍କ ଅତ୍ୟାଚାରର କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଏବେ ବକ୍ସ ଅପିସରେ ରାଜ କରୁଛି । ତେବେ ଏହାର ସଫଳତା ପରେ ଏବେ ଏହାକୁ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ କରାଯିବ । ଜି-ଫାଇଭରେ ଏହି ଚଳଚ୍ଚିତ୍ର ରିଲିଜ କରାଯିବା ନେଇ ସୂଚନା ମିଳିଛି । ଆସନ୍ତା ମେ ୧୩ ତାରିଖରୁ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ ଦ କାଶ୍ମୀର ଫାଇଲ୍ସ ।
ଗତ ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ପ୍ରଥମ ୨ ସପ୍ତାହରେ ୨୦୦ କୋଟି ଟଙ୍କା ରେଜଗାର କରି ନେଇଥିଲା । ତୃତୀୟ ସପ୍ତାହରେ ଏସ.ଏସ ରାଜାମୌଲୀଙ୍କ ଫିଲ୍ମ ରିଲିଜ ହେବା ପରେ ମଧ୍ୟ ଏହି ସିନେମା ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲା । ନିକଟରେ ୨୫୦ କୋଟିର ବିଜନେସ କରିଛି ଏହି ସିନେମା । ଏଭଳି ଏକ ବଡ ସଫଳତା ପରେ ଏହା ଏବେ ଡିଜିଟାଲ ପ୍ରିମିୟର ପାଇଁ ପ୍ରସ୍ତୁତ ହୋଇଛି । ଏହା ଖୁବଶୀଘ୍ର ୧୯୦ରୁ ଅଧିକ ଦେଶରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ । ହିନ୍ଦୀ ଭାଷା ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବ ଦ କାଶ୍ମୀର ଫାଇଲ୍ସ ।
ସିନେମାର ପ୍ରଯୋଜନା ଭାର ଜି ଷ୍ଟୁଡିଓଜ, ତେଜ ନାରାୟଣ ଅଗ୍ରୱାଲ, ଅଭିଶେକ ଅଗ୍ରୱାଲ, ପଲ୍ଲବୀ ଜୋଶୀ ଏବଂ ବିବେକ ରଞ୍ଜନ ଅଗ୍ନିହୋତ୍ରୀ କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ବିବେକ ଅଗ୍ନିହୋତ୍ରୀ । ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ର୍ଦାନ କୁମାର, ପଲ୍ଲବୀ ଜୋଶୀ ଏବଂ ଚିନ୍ମ ମାଣ୍ଡଲେକର । ତେବେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ଆସିଲେ ସାରା ବିଶ୍ୱକୁ ଏହା ଦୋହଲାଇ ଦେବ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।