ସ୍କର୍ପିଓ ଦୁର୍ଘଟଣା ପରେ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ସ୍କର୍ପିଓ ଚାଳକଙ୍କ ଅସାବଧାନତା ହେତୁ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ । ସ୍କୁଟି ଉପରେ ଦୃତଗାମୀ ର୍ସ୍କପିଓ ମାଡ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କତରା ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ହରିହର ସେଠି ଏବଂ ଭାରତ ସରକାରଙ୍କ ଅଧିକାରୀ ସତ୍ୟନାରାୟଣ ନନ୍ଦ ।

ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ମାଡ଼ିଯିବାରୁ ହରିହର ସେଠୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଏହା ପରେ ସ୍କର୍ପିଓ ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଲେ, ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ସତ୍ୟନାରାୟଣ ନନ୍ଦ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଫୁଲ ଚନ୍ଦ୍ର ଶର୍ମାଙ୍କୁ ଉତ୍ୟକ୍ତ ଲୋକେ ନିସ୍ତୁକ ପିଟିଥିଲେ । ଏଥିରେ ଦୁହେଁ ଗୁରୁତର ଆହାତ ହୋଇଥିଲେ । ଏତିକିରେ ଉତ୍ତେଜିତ ଲୋକେ ଅଟକି ନଥିଲେ, କ୍ଷତିପୁରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ଏବଂ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗହଳି ଭାଙ୍ଗିଥିଲା । ତେବେ ମେଡିକାଲରେ ଭର୍ତ୍ତୀ ହେବା ପରେ ଗୁରୁତର ଅବସ୍ଥାରେ ଥିବା ସତ୍ୟନାରାୟଣ ନନ୍ଦ ପ୍ରାଣ ତ୍ୟାଗ କରିଥିଲେ । ଏହି ଘଟଣା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।