ଶାନ୍ତି ପ୍ରତିଷ୍ଠା ପାଇଁ ମହାରାଷ୍ଟ୍ର ପୋଲିସର ନୂଆ ନିୟମ: ଏବେ ଏମିତି କାମ କଲେ ମିଳିବ କଠୋର ଦଣ୍ଡ

ମୁମ୍ବାଇ: ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡିଛି ମହାରାଷ୍ଟ୍ର ପୋଲିସ । ଏହି ଶାନ୍ତି ବଜାୟ ରଖିବା ପାଇଁ ପ୍ରିବେଣ୍ଟିଭ ଆକ୍ସନ ମଧ୍ୟ ନେବା ଆରମ୍ଭ କରି ଦେଲାଣି ଡିପାର୍ଟମେଣ୍ଟ । ପୂର୍ବରୁ ଏହିଭଳି ଘଟଣାରେ ଲିପ୍ତ ଥିବା ଲୋକମାନଙ୍କ ଉପରେ ଆଇପିସି ଧାରା ୧୫୩(ଏ) ଏବଂ ୨୯୫(ଏ) ଲଗାଯାଉଛି । ତେବେ ଉତ୍ତେଜିତ ଭାଷାରେ କଥା ହେଉଥିବା ଲୋକମାନଙ୍କ ବରୋଧରେ ଏବେ କଡା କାର୍ଯ୍ୟାନୁଷ୍ଠାନ ନେବ ମହାରାଷ୍ଟ୍ର ପୋଲିସ । ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଆଇପିସି ଦାରା ୧୫୩(ଏ)ରେ ଜାତି, ଧର୍ମ, ସମ୍ପ୍ରଦାୟ ଏବଂ ଭାଷା ଉପରେ ଶତ୍ରୁତା ବଢାଇବା ପାଇଁ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ୨୯୫(ଏ)ରେ କୌଣସି ବ୍ୟକ୍ତିଙ୍କ ଧାର୍ମିକ ଭାବନାକୁ ଆହତ କରିବା ବିରୋଧରେ ମଧ୍ୟ ଦଣ୍ଡବିଧାନ କରାଯାଇପାରିବ ।

ରାଜ୍ୟରେ ଅଜାନକୁ ନେଇ ଏକ ବିବାଦ ଆରମ୍ଭ ହୋଇଥିଲା । ଲାଉଡସ୍ପିକରରେ ଯଦି ଆଜାନ ଦିଆଯାଏ ତ ହନୁମାନ ଚାଳିଶା ବଜାଇବା ପାଇଁ କହିଥିଲେ ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ । ନିକଟରେ ସେ ଆଉ ଏକ ବିକଳ୍ପ ଦେଇଛନ୍ତି ଯେ, ମେ ୩ ତାରିଖ ସୁଦ୍ଧା ରାଜ୍ୟ ସରକାର ମସଜିଦରୁ ଲାଉଡସ୍ପିକର ବାହାର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ନଚେତ ତାଙ୍କ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ହନୁମାନ ଚାଳିଶା ବଜାଇବେ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ କୋର୍ଟଙ୍କ ଆଦେଶକୁ ନଜରରେ ରଖି ସବୁ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବଜାଇବା ପାଇଁ ଅନୁମତି ନେବା ଆବଶ୍ୟକ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।