ଭୁବନେଶ୍ୱର AIIMSର ବରିଷ୍ଠ ପ୍ରସୂତୀ ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂ ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର
ବରିଷ୍ଠ ବର୍ଗରେ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଗବେଷଣା ନିମନ୍ତେ ମିଳିଛି ଏହି ସମ୍ମାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏମ୍ସର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ଶ୍ଵେତା ସିଂ’ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି । ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ ଏବଂ ସ୍ତ୍ରୀ ରୋଗ ସୋସାଇଟି ଅଫ୍ ଇଣ୍ଡିଆ (ଫୋଗସି) ପକ୍ଷରୁ ନିକଟରେ ଇନ୍ଦୋରରେ ଆୟୋଜିତ ହୋଇଥିବା ପ୍ରସୂତି ଏବଂ ସ୍ତ୍ରୀ ରୋଗ ସର୍ବଭାରତୀୟ ସମ୍ମିଳନୀ-୨୦୨୨ରେ ଡ. ସିଂ’ଙ୍କୁ ୨୦୨୦ ବର୍ଷ ପାଇଁ ବରିଷ୍ଠ ବର୍ଗରେ “ଶ୍ରେଷ୍ଠ ଅନୁସନ୍ଧାନ” ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ତଥା ଏନେଇ ରହିଥିବା ଅନ୍ୟାନ୍ୟ ଜଟିଳତା ସନ୍ଦର୍ଭରେ ଡ. ସିଂଙ୍କ ଅନୁସନ୍ଧାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୦ ପ୍ରତିଶତ ପ୍ରସୂତୀଙ୍କ ନିକଟରେ ଏହି ଜଟିଳତା ପରିଲକ୍ଷିତ ହୋଇଥାଏ ।
ଏନେଇ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡ. ଏସ ଏନ୍ ମହାନ୍ତି ଡ. ସିଂଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଏହା ଅନ୍ୟମାନଙ୍କୁ ସମାଜର କଲ୍ୟାଣ ପାଇଁ ଅଧିକ ଗବେଷଣା କରିବାକୁ ଉତ୍ସାହିତ କରିବ ବୋଲି ଉଭୟ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ପୁରସ୍କାର ହେଉଛି ଫୋଗସିର ସର୍ବୋଚ୍ଚ ପୁରସ୍କାର । ଏଥିପାଇଁ ପ୍ରାପକଙ୍କୁ ଏକ ସୁନାରେ ନିର୍ମିତ ପ୍ଲେକ୍ ସହିତ ପ୍ରମାଣପତ୍ର ଏବଂ ନଗଦ ୭୫ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ ।