୨୦୨୪ରେ ବିଜେପି ରଥକୁ କେମିତି ରୋକିବ କଂଗ୍ରେସ, ନିଜ ଦମରେ ନା ମହାମେଣ୍ଟ ବଳରେ? ସତରେ କ’ଣ ଏମିତି କିଛି ଘଟିବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ରାଜନୈତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସକୁ ସୁଧାରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହାମଧ୍ୟରେ ପିକେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଭେଟି ଦଳର ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ପିକେଙ୍କର ରଣନୀତି କ’ଣ ସତରେ କଂଗ୍ରେସକୁ ପୁଣି ଥରେ ପୁରୁଣା ଫର୍ମକୁ ଫେରାଇ ଆଣିପାରିବ?

ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ସିଟ ଜିତି ସମ୍ପୂର୍ଣ୍ଣଭାବେ ତଳିତଳାନ୍ତ ଅବସ୍ଥାକୁ ଚାଲିଆସିଥିଲା । ଆଜି କଂଗ୍ରେସ ଦେଶର ମାତ୍ର ୨ଟି ରାଜ୍ୟରେ କ୍ଷମତାସୀନ ରହିଥିବା ବେଳେ ଅଧିକାଂଶ ରାଜ୍ୟରେ ଗୋଷ୍ଠୀ କନ୍ଦଳରେ ବ୍ରତୀ ରହି ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି । ୨୦୧୪ ନିର୍ବାଚନରେ ପିକେ ନରେନ୍ଦ୍ର ମୋଦୀଙ୍କ ପାଇଁ କାର୍ଯ୍ୟ କରି ସଫଳ ହୋଇଥିଲେ । ଏହାପରେ ପିକେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଷ୍ଟ୍ରାଟେଜି ଆପ୍ଲାଏ କରି ସଫଳ ହୋଇଥିଲେ । କିଛି ଜାଗାରେ ପିକେଙ୍କର ରଣନୀତି ଫେଲ୍ ମଧ୍ୟ ମାରିଥିଲା ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବହୁତ କମ୍ ବାକି ଥିବାବେଳେ ଏହି ସୀମିତ ଅବଧିରେ ପିକେଙ୍କର ଫର୍ମୂଲା କଂଗ୍ରେସକୁ କେତେ ଫାଇଦା ଦେଇପାରିବ ତାହା ହିଁ ବଡ଼ ପ୍ରଶ୍ନ । କାରଣ ବର୍ତ୍ତମାନ ସମୟରେ କେନ୍ଦ୍ରରେ ନେତୃତ୍ୱାଧୀନ ଭାଜପାକୁ ବ୍ୟାକଫୁଟକୁ ଠେଲିବା କଂଗ୍ରେସ ପାଇଁ ଏତେ ସହଜ ହୋଇ ନପାରେ । ହୋଇପାରେ କଂଗ୍ରେସ ସମସ୍ତ ବିରୋଧୀଙ୍କୁ ଏକତ୍ରିତ କରି ମୋଦୀଙ୍କ ଲହରକୁ କହରରେ ପରିଣତ କରିପାରେ । ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ହୋଇପାରେ ପୁଣି ଫେରିପାରେ କଂଗ୍ରେସର ପୁରୁଣା ଫର୍ମ, ଆଉ ପୁଣି ଖେଳିପାରେ ସାରା ଦେଶରେ ହାତର ଲହରୀ । ତେବେ ସମୟ ଆସିଲେ ଜଣାପଡ଼ିବ କୋଉ ପାଣି କୁଆଡ଼େ ଯାଉଛି ।