fbpx

ଓଡ଼ିଶାରେ ମାସ୍କ ପାଇଁ ଆସିବ କି ନୂଆ ନିୟମ? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଛୁଆଙ୍କ ଟିକାକରଣ ଓ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଅନେକ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି, ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସଂକ୍ରମଣ ବଢ଼ିଲେ ମାସ୍କ ଲାଗି ନୂଆ ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି ।

ଏହା ସହ ଥଣ୍ଡା ଓ ଜ୍ୱର ଲକ୍ଷଣ ଥିଲେ ପିଲାଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଟେଷ୍ଟ କରାଇ ପିଲାଙ୍କୁ ସଙ୍ଗରୋଧରେ ରଖନ୍ତୁ । ଅଲଗା ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ରାଜ୍ୟରେ ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ନୂଆ ନିୟମ ଆସିପାରେ । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ, ଔଷଧ ଓ ଅକ୍ସିଜେନ୍ ମହଜୁଦ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ତେବେ ରାଜ୍ୟରେ ଆଜି ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୨ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୭୯ରେ ପହଞ୍ଚିଛି । ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୭୦୧ ରହିଥିବା ବେଳେ ୧୦୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସମ୍ବଲପୁରରୁ ସର୍ବାଧିକ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.