ପନ୍ତଙ୍କ ବୋ ବଲ୍ ବିବାଦରେ ମନେ ପଡିଲେ ଧୋନୀ, ଫ୍ୟାନ୍ସ କହିଲେ- ଗୁରୁ ଯେମିତି ଚେଲା ସେମିତି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନରେ ଚତୁର୍ଥ ପରାଜୟ ଭୋଗିଛି ଦିଲ୍ଲୀ କ୍ୟାପିଟାଲ୍ସ। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଛି। ତେବେ ଏହି ମୁକାବିଲାର ଶେଷ ଓଭରରେ ନୋ ବଲ୍ ବିବାଦ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ପଡିଆରେ କିଛି ସମୟ ଅସ୍ଵାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା। ଜଣା ପଡୁନଥିଲା ଖେଳ କେଉଁ ଦିଗକୁ ଯିବ।

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ନୋ ବଲକୁ ନେଇ ଅମ୍ପାୟରଙ୍କ ନିଷ୍ପତ୍ତି ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ନିଜ ବ୍ୟାଟସମ୍ୟାନଙ୍କୁ ପଡିଆରୁ ଫେରି ଆସିବାକୁ ଇସାରା କରିଥିଲେ। ପନ୍ତ ସହାୟକ କୋଚ୍ ପ୍ରବୀଣ ଆମରେଙ୍କୁ ମଧ୍ୟ ପଡିଆକୁ ପଠାଇଥିଲେ। ଏହି ସବୁ ବିବାଦ ମଧ୍ୟରେ ସୋସିଆଲ ମିଡିଆ ଫ୍ୟାନ୍ସଙ୍କୁ ଏବେ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା ମନେ ପଡିଛି।

ଘଟଣା ଏମିତି, ୨୦୧୯ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଏକ ମ୍ୟାଚରେ ଧୋନୀ ଅମ୍ପାୟରଙ୍କ ନିଷ୍ପତ୍ତିରେ ଖୁବ୍ ରାଗିଥିଲେ। ସେହି ସମୟରେ ବି ନୋ ବଲକୁ ନେଇ ବିବାଦ ହୋଇଥିଲା। ସେତେବେଳେ ଧୋନୀ ପଡିଆକୁ ମଧ୍ୟ ଚାଲି ଯାଇଥିଲେ ଏବଂ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ଆଉ ଏବେ ଋଷଭ ପନ୍ତ ମଧ୍ୟ ଠିକ୍ ସମାନ ବିବାଦକୁ ଦୋହରାଇଛନ୍ତି। ଏବେ ସାମାଜିକ ଗଣମାଧ୍ୟମ ୟୁଜର୍ସ ପନ୍ତ ଏବଂ ଧୋନୀଙ୍କକୁ ଏକ ସଙ୍ଗେ ଟ୍ରୋଲ କରୁଛନ୍ତି। ଅଧିକାଂଶ ୟୁଜର୍ସ ଲେଖୁଛନ୍ତି ଗୁରୁ ଯେମିତି ଚେଲା ମଧ୍ୟ ସେମିତି।

 

ମ୍ୟାଚରେ ୨୨୩ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଶେଷ ଓଭରରେ ଜିତିବା ପାଇଁ ୩୬ ରନ ଦରକାର ଥିଲା। ଓବେଡ ମାକକୟଙ୍କ ଓଭରର ପ୍ରଥମ ତିନି ବଲରେ ରୋଭମ୍ୟାନ ପାଓ୍ଵେଲ ତିନି ଛକା ମାରି ମ୍ୟାଚରେ ରୋମାଞ୍ଚା ଭରିବା ସହ ଦିଲ୍ଲୀର ବିଜୟ ଆଶାକୁ ଉଜ୍ଜିବୀତ କରିଥିଲେ। ତେବେ ତୃତୀୟ ବଲ ନୋ ବଲ୍ ଥିବା ଏବଂ ଅମ୍ପାୟର ଏହାକୁ ନୋ ବଲ୍ ନଦେବା ନେଇ ଋଷଭ ପନ୍ତ ଏହାର ତୀବ୍ର ବିରୋଧ କରିଥିଲେ। ଏପରିକି ତୃତୀୟ ଅମ୍ପାୟର ମଧ୍ୟ ଏଥିରେ ହସ୍ତକ୍ଷେପ କରିନଥିଲେ। ସେହି ସମୟରେ କ୍ରୋଧିତ ଋଷବ ବ୍ୟାଟସମ୍ୟାନଙ୍କୁ ଖେଳ ବନ୍ଦ କରି ଫେରି ଆସିବାକୁ ଇସାରା କରିଥିଲେ।

 

ଉକ୍ତ ମ୍ୟାଚରେ ମଧ୍ୟ ଚେନ୍ନାଇ ଦଳକୁ ଶେଷ ୩ ବଲରେ ୮ ରନ ଦରକାର ଥିଲା। ବୋଲିଂ କରୁଥିଲେ ବେନ ଷ୍ଟୋକ୍ସ। ତାଙ୍କର ଚତୁର୍ଥ ବଲ ଉଚ୍ଚରେ ଥିବାରୁ ଅମ୍ପାୟର ନୋ ବଲ୍ ଇସାରା କରିଥିଲେ। ତେବେ ଲେଗ ଅମ୍ପାୟରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଆସିବା ଦେଖି ଅମ୍ପାୟର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ। ଏହାକୁ ନେଇ କ୍ରିଜରେ ଥିବା ଜାଡେଜା ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟପଟେ ଡଗ ଆଉଟରେ ବସିଥିବା ଧୋନୀ ମଧ୍ୟ ପଡିଆକୁ ଆସି ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ଏହି ମ୍ୟାଚକୁ ଚେନ୍ନାଇ ଦଳ ୪ ଓ୍ଵିକେଟରେ ଜିତି ନେଇଥିଲା।

Get real time updates directly on you device, subscribe now.