fbpx

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ୍ ଅନାଥ: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସବୁ ଛାଡ଼, ଲାଗୁହେଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱକୁ କବଜା କରି ରଖିଥିଲା । ତେବେ କୋଭିଡରେ ପିତାମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳିବ । ଏମପି କୋଟା ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବାର୍ଷିକ ୧୦ ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାଇବା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ ଜଣ ଆଡମିଶନ କରିପାରିବେ । କୋଭିଡ୍ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ ଫିସ୍ ସବୁକିଛି ଛାଡ଼ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ନେଇ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବରୁ ଲୋକସଭା ସଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲମାନଙ୍କରେ ୧୦ ଜଣ ପିଲାଙ୍କୁ ନାମଲେଖା ପାଇଁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭାର ସଦସ୍ୟମାନେ ନିର୍ବାଚନ ହୋଇଥିବା ରାଜ୍ୟର ୧୦ ଜଣ ପିଲାଙ୍କ ଆଡମିଶନ ନେଇ ସୁପାରିଶ କରିପାରୁଥିଲେ । କେଭି ପକ୍ଷରୁ ସ୍ପନସରସିପ୍ ଏଜେନ୍ସି କୋଟା ଆଡମିଶନକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

Get real time updates directly on you device, subscribe now.