ପଟିଆଲା ହିଂସାକୁ ନେଇ ଆକ୍ସନ ମୋଡରେ ସରକାର: IG, SP ଓ SSPଙ୍କୁ କଲେ ବଦଳି

ଚଣ୍ଡିଗଡ଼: ପଞ୍ଜାବ ପଟିଆଲାରେ କାଲି ଶୋଭାଯାତ୍ରା ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଏହାକୁ ନେଇ ସହରରେ ପୋଲିସ ଫୋର୍ସ ମୁତୟନ କରିବା ସହ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା ପ୍ରଶାସନ । ଏହା ପରେ ପଞ୍ଜାବ ସରାକର ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଟିଆଲାର ଆଇଜି, ଏସପି ଓ ଏସଏସପିଙ୍କୁ ଟ୍ରାନ୍ସଫର କରାଯାଇଛି ।

ସୂଚନା ଅନୁସାରେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତି ମାନ୍ ପଟିଆଲା ହିଂସାରେ ଇଣ୍ଟେଲିଜେନ୍ସି ଫେଲିଅରକୁ ନେଇ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତି କରିଥିଲେ । ଏପରି ପରିସ୍ଥିତିରେ ସରକାର କୌଣସି ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ, ପଟିଆଲାର ଆଇଜି, ଏସପି ଓ ଏସଏସପିଙ୍କର ଟ୍ରାନ୍ସଫର ହୋଇଛି ।

ତେବେ ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପଟିଆଲାର ମା’ କାଳୀ ମନ୍ଦିରରେ ନିକଟରେ ଏନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶିବସେନା ପକ୍ଷରୁ ‘ଖଲିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ୍ ଦିଆଯାଇ ବିକ୍ଷୋଭ କରାଯାଉଥିବା ବେଳେ ଖଲିସ୍ତାନ ସମର୍ଥକମାନେ ଖଣ୍ଡା ଓ ପଥରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ବହୁ ଲୋକ ଆହତ ହୋଇଥିଲେ । ଏହି ଭୟଙ୍କର ଆକ୍ରମଣାତ୍ମକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।