fbpx

କରୋନାର ନୂଆ ଲହରର ବିପଦ, ଓମିକ୍ରନ ୨ ନୂଆ ସବ୍ ଭାରିଆଣ୍ଟ କରିପାରନ୍ତି ସଂକ୍ରମିତ: ରିସର୍ଚ୍ଚରେ ହେଲା ଖୁଲାସା

ଓମିକ୍ରନର ଦୁଇ ନୂଆ ଭାରିଆଣ୍ଟ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇ ପୁଣି ଥରେ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । ଏକ ରିସର୍ଚ୍ଚରେ ଏଭଳି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ । ସେମାନେ କହିଛନ୍ତି ଯେ ଏହି ସବ୍ ଭାରିଆଣ୍ଟ କାରଣରୁ କରୋନାର ନୂଆ ଲହର ଦେଖିବାକୁ ମିଳିପାରେ । ଅବଶ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ବିପଦ ସମ୍ଭାବନା କମ୍ ରହିଛି ।

ଅନେକ ସଂସ୍ଥାନର ବୈଜ୍ଞାନିକମାନେ ଓମିକ୍ରନର ବିଏ.୪ ଏବଂ ବିଏ.୫ ସବ ଭାରିଆଣ୍ଟର ଯାଞ୍ଚ କରୁଛନ୍ତି । ‘ହୁ’ ମଧ୍ୟ ଏହି ଭାରିଆଣ୍ଟ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି । ବୈଜ୍ଞାନିକମାନେ ଗତ ବର୍ଷ ଶେଷରେ ପ୍ରଥମ ଥର ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ୩୯ ଲୋକଙ୍କ ବ୍ଲଡ ସାମ୍ପୁଲ ନେଇଥିଲେ ଏବଂ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୫ ଗୁଣା ଅଧିକ କ୍ଷମତା ରହିଛି । ସେହିଭଳି ଭାକ୍ସିନ ନେଇନଥିବା ଲୋକଙ୍କ ସାମ୍ପୁଲ ମଧ୍ୟରେ ଓମିକ୍ରନର ମୂଳ ଭାରିଆଣ୍ଟ ବିଏ.୧ ତୁଳନାରେ ବିଏ.୪ ଏବଂ ବିଏ.୫ ସଂସ୍ପର୍ଶରେ ଆସିବା ପରେ ଆଣ୍ଟିବଡି ଅଧିକ ମାତ୍ରାରେ ପ୍ରଭାବିତ ହେଉଛି ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ଏହା ତିନିଗୁଣା କମ୍ ବୋଲି ଜଣାପଡ଼ିଥିଲା ।

ଅନୁମାନ କରାଯାଉଛି ଯେ ଦକ୍ଷିଣ ଆଫ୍ରିକାରେ ୫ମ ଲହର ଆସିପାରେ । ଅଧିକାରୀ ଏବଂ ବୈଜ୍ଞାନିକମାନେ କହିଛନ୍ତି ଯେ ଓମିକ୍ରନର ବିଏ.୪ ଏବଂ ବିଏ.୫ ସବ ଭାରିଆଣ୍ଟ କାରଣରୁ କରୋନା ଭାଇରସ ସଂକ୍ରମଣ ବଢ଼ୁଛି । ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ଓମିକ୍ରନର ଏହି ଦୁଇ ସବ ଭାରିଆଣ୍ଟ କରୋନାର ନୂଆ ଲହରକୁ ଜନ୍ମ ଦେଇପାରିବା କ୍ଷମତା ରହିଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ୬ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ୩୦ ପ୍ରତିଶତ ଲୋକଙ୍କୁ ସଂପୂର୍ଣ୍ଣ ଭାବରେ ଟିକା ଦିଆଯାଇସାରିଛି । ସେହିଭଳି ଚୀନ ଭଳି ବିଶ୍ୱରେ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଚୀନର ସାଙ୍ଘାଇ ସମେତ ଅନେକ ସହରରେ ଲକଡାଉନ ଲଗାଯାଇଛି ।

Get real time updates directly on you device, subscribe now.