fbpx

ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଲାଣି, ଆଗକୁ ୫୦ ଡିଗ୍ରୀ ଟପିବ: IMDର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମର ପ୍ରଚଣ୍ଡ ତାପ ଜନସାଧାରଣଙ୍କୁ ଅସହ୍ୟ କରିପକାଉଛି । କିଛି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଡିଗ୍ରୀ ଉପରେ ରହିବା ସହ ଅନ୍ୟ କିଛି ରାଜ୍ୟରେ ୪୫ ଟିପିଲାଣି । ତେବେ ବର୍ତ୍ତମାନ ସ୍ଥିତିରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଗକୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷର ତାପମାତ୍ରା ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରିଦେଇଛି ।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଦେଶରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରେ ତାପାମତ୍ରା ୫୦ ଡିଗ୍ରୀ ଛୁଇଁପାରେ । ଏପରିକି ସର୍ବାଧିକ ତାପମାତ୍ରା ୫୨.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ । ତାତିର ପ୍ରଭାବ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜାରି ରହିବ । ଏଥିରୁ ଶୀଘ୍ର ମୁକ୍ତି ପାଇବାର ସମ୍ଭାବନା ନାହିଁ ।

ନିକଟରେ ଉତ୍ତରପ୍ରଦେଶରେ ତାପମାତ୍ରା ୪୭.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଏଥିସହିତ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ରହିଥିବା ନେଇ ରେକର୍ଡ କରାଯାଇଛି । ୟୁପିର ପ୍ରୟାଗରାଜରେ ୪୬.୮ ଡିଗ୍ରୀ, ଝାଂସୀରେ ୪୬.୨, ଲକ୍ଷ୍ନୌରେ ୪୫.୧ ଡିଗ୍ରୀ ରହିଛି । ହରିୟାଣାର ଗୁରୁଗ୍ରାମରେ ୪୫.୯ ଡିଗ୍ରୀ, ମଧ୍ୟପ୍ରଦେଶର ସତନାରେ ୪୫.୩ ଡିଗ୍ରୀ, ଦିଲ୍ଲୀର ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୬.୪ ଡିଗ୍ରୀ, ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୪୬.୪ ଡିଗ୍ରୀ, ମଧ୍ୟପ୍ରଦେଶର ଗୌଗାଁଓରେ ୪୬.୨ ଡିଗ୍ରୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.