fbpx

ପରୀ ଅପହରଣ, ମାହାଙ୍ଗା ଡବଲ ମର୍ଡର, ମମିତା ହତ୍ୟା, ରୋଷେୟା ମୃତ୍ୟୁ ଘଟଣାରେ ସମ୍ପୃକ୍ତ BJD ମନ୍ତ୍ରୀମାନଙ୍କୁ କେବେ ଗିରଫ କରାଯିବ: BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାଶ ପାଣିଗ୍ରାହୀ । ପରେ ବିଧାୟକଙ୍କୁ ବିଚାର ବିଭାଗୟୀ ହାଜତକୁ ପଠାଇ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଉଠିଛି । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ବିଡିଓ କୃଷ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ ।

ତେବେ ବିଜେପି ବିଧାୟକଙ୍କୁ ତରବରିଆ ଭାବେ ଗିରଫ କରାଯାଇଥିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗିରଫ ପ୍ରତିବାଦରେ ଆଜି ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଥାନା ଆଗରେ ବିଜେପି କର୍ମୀମାନେ ଧାରଣା ଦେବା ସହ ପୋଲିସ ବିରୋଧରେ ନାରାବାଜୀ କରିଛନ୍ତି । ସୁବାଶଙ୍କ ଗିରଫ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲେଖାଶ୍ରୀ ସାମନ୍ତରାୟ ଶାସକ ବିଜେଡିକୁ ନିନ୍ଦା କରିଛନ୍ତି । ବିଧାୟକଙ୍କ କଲର ଧରି ବିଡିଓ ଧମକ ଦେଇଥିଲେ ଓ ଏନେଇ ବିଧାୟକ ଅଭିଯୋଗ ମଧ୍ୟ କରିଥିଲେ । ମାତ୍ର ବିଧାୟକଙ୍କ ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି କରାଗଲା ନାହିଁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।

ଜଣେ ଜନପ୍ରତିନିଧିଙ୍କ ପ୍ରତି ଏଭଳି ବ୍ୟବହାର ନିହାତି ଭାବେ ଦୁର୍ଭାଗ୍ୟଜନକ । ପରୀ ଅପହରଣ, ମାହାଙ୍ଗା ଡବଲ ମର୍ଡର, ମମିତା ମେହେର ହତ୍ୟାକାଣ୍ଡ, ରୋଷେୟା ମୃତ୍ୟୁ ଘଟଣାରେ ରାଜ୍ୟର ଏକାଧିକ ମନ୍ତ୍ରୀଙ୍କର ହାତ ରହିଛି । ମାତ୍ର ସେମାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ବିଧାୟକଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଥିବା କହିଛି ଶାସକ ବିଜେଡି ।

Get real time updates directly on you device, subscribe now.