fbpx

ବ୍ରଜରାଜନଗର ଉପନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କିଏ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର ବିଧାୟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ସୂଚନା ଅନୁସାରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା ।

ସେହପରି ମେ’ ୭ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କିଶୋର ପଟେଲଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ଆମେ ସବୁ ତାଙ୍କ ପାଇଁ ଲଢ଼ିବୁ ବୋଲି ବିଧାୟକ ସନ୍ତୋଷ କହିଛନ୍ତି ।

ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ବିଜ୍ଞପ୍ତି ଅନୁସାରେ, ଚାରି ମେ’ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ । ଏହାପରେ ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ । ଜୁନ୍ ୩ରେ ଗଣତି ଓ ଫଳାଫଳ । ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ରାଜନୈତିକ ଗତିବିଧି ଜୋର ଧରିଛି । ବ୍ରଜରାଜନଗର ଉପ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିର୍ବାଚନ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

Get real time updates directly on you device, subscribe now.