ବ୍ରିଜ୍ ଉପରେ ହେଲା ଚେନ୍ ପୁଲିଂ: ଜୀବନକୁ ବାଜି ଲଗାଇ ଟ୍ରେନକୁ ରିସେଟ୍ କଲେ ରେଳକର୍ମୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନକୁ ବିନା କାରଣରେ ଚେନ୍ ଟାଣି ଅଟକାଇବା ହେଉଛି ଆଇନଗତ ଅପରାଧ । ରେଲୱେ ପକ୍ଷରୁ ସମୟ ସମୟରେ ଏନେଇ ଲୋକଙ୍କୁ ସଚେତନ କରାଯାଉଛି । ହେଲେବି ଏଭଳି ଘଟଣା ବନ୍ଦ ହେଉନାହିଁ । ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିନା କାରଣରେ ଚେନ୍ ପୁଲିଂ ଯୋଗୁଁ ଟ୍ରେନଟି ଏକ ବ୍ରିଜ୍ ଉପରେ ଅଟକିଯାଇଥିଲା । ଅବଶ୍ୟ ଭିଡିଓ କେବେକାର, ତାହା ଜଣାପଡିନାହିଁ । କିନ୍ତୁ ରେଲୱେ ନିଜର ଅଫିସିଆଲ ଟ୍ୱିଟର ସାଇଟରେ ଏହାକୁ ସେୟାର କରିଛି ।

ନଦୀ ଉପରେ ଥିବା ବ୍ରିଜ୍ ଉପରେ ଟ୍ରେନଟି ଅଟକିଯିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଅବସ୍ଥା ଅତି ବିପଜ୍ଜନକ ଥିଲା । କିନ୍ତୁ ଜଣେ ରେଲୱେ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଟ୍ରେନ୍ ତଳକୁ ଯାଇଥିଲେ ଓ ବହୁ କଷ୍ଟରେ ଆଲାର୍ମ ଚେନକୁ ରିସେଟ୍ କରିଥିଲେ । ଏହା ଫଳରେ ଟ୍ରେନଟି ପୁଣିଥରେ ଚାଲିବାକୁ ସକ୍ଷମ ହୋଇଥିଲା । ରେଳ ମନ୍ତ୍ରଣାଳୟ ଏହି ଘଟଣା ଭିଡିଓ ନିଜ ଫେସବୁକ ପେଜରେ ବି ସେୟାର କରିଛି, ଯାହାପରେ ଲୋକମାନେ ସେହି ରେଳକର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି ।

ରେଲୱେର ସୂଚନା ଅନୁସାରେ, ଆଲାର୍ମ ଚେନ୍ ଟାଣିବାର ଏହି ଘଟଣା ଗୋଦାନ ଏକ୍ସପ୍ରେସ ଟ୍ରେନରେ ହୋଇଥିଲା । ଏହା ପରେ ଟ୍ରେନ ଟିଟୱାଲା ଓ ଖଡାୱଲି ଷ୍ଟେସନ ମଧ୍ୟରେ ଥିବା ଏକ ବ୍ରିଜ ଉପରେ ଅଟକିଯାଇଥିଲା । ରେଲୱେ ଦ୍ୱାରା ସେୟାର କରାଯାଇଥିବା ଏହି ୪୦ ସେକେଣ୍ଡର ଭିଡିଓରେ ଜଣେ ରେଳକର୍ମୀ ଜୀବନକୁ ପାଣି ଛଡ଼ାଇ ଟ୍ରେନ୍ ତଳକୁ ଯାଇଥିବା ନଜର ଆସିଛନ୍ତି । ସେ ଟ୍ରେନର ତଳକୁ ଯାଇ ଆଲାର୍ମ ଚେନକୁ ରିସେଟ୍ କରିଥିଲେ । ରେଲୱେ ବିଜ୍ର ଉପରେ ନିଜର ସନ୍ତୁଳନ ରକ୍ଷା କରି ସେ କୋଚ ନିକଟକୁ ଫେରିଆସିଥିଲେ । ବ୍ରିଜ ଉପରେ ଟ୍ରେନର ଚେନ୍ ଆଲାର୍ମ ରିସେଟ୍ କରିବା କେତେ ଯେ ବିପଜ୍ଜନକ, ତାହା ଆପଣ ଏହି ଭିଡିଓ ଦେଖି ଜାଣିପାରୁଥିବେ ।

ତେବେ ଟ୍ରେନକୁ ସାମାନ୍ୟ ସ୍ଥିତିକୁ ଫେରାଇଆଣିଥିବା ସେହି ବାହାଦୂର ରେଳକର୍ମୀଙ୍କ ନାଁ ସତୀଶ କୁମାର । ସେ ସେଣ୍ଟ୍ରାଲ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟରତ ଅଛନ୍ତି । କେବଳ ଜରୁରୀକାଳୀନ ପରିସ୍ଥିତିରେ ଚେନ୍ ଟାଣନ୍ତୁ ବୋଲି ଏହି ପୋଷ୍ଟ କରି ଯାତ୍ରୀମାନଙ୍କୁ ନିବେଦନ କରିଛି ରେଲବାଇ ।