ନୂଆଦିଲ୍ଲୀ: କଂଗ୍ରେସ ଉଦୟପୁରରେ ଚିନ୍ତନ ଶିବିର ପୂର୍ବରୁ ବଡ ପରିବର୍ତ୍ତନର ପ୍ରସ୍ତୁତି କରିଛି। ସୋମବାର ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଗୋଟିଏ ପରିବାରର ଜଣଙ୍କୁ ଟିକେଟ୍ ଦେବା,ଗୁରୁତ୍ଵପୂର୍ଣ୍ଣ ପଦରେ ରହିବା ପରେ ତିନି ବର୍ଷ କୁଲିଂ ଅଫ ପିରିୟଡରେ ରହିବା ଏବଂ ପ୍ୟାନେଲରେ ବଡ ସଂଖ୍ୟାରେ ସଦସ୍ୟଙ୍କୁ କମ କରିବା ପରି ପ୍ରସ୍ତାବ ଉପରେ ମୋହର ବାଜିଛି। କଂଗ୍ରେସ ସୂତ୍ର ଅନୁଯାୟୀ, ହାଇକମାଣ୍ଡଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା ଯେ, ରାଜ୍ୟ ସଭାପତି, ଜିଲ୍ଲା ସଭାପତି କିମ୍ବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ୍ ନେତାଙ୍କୁ ଗୋଟିଏ କାର୍ୟ୍ୟକାଳ ସରିବା ପରେ ତିନି ବର୍ଷ ପର୍ଯ୍ୟନ୍ତ ପଦରୁ ଦୂରରେ ରଖାଯିବା ଉଚିତ୍। ପ୍ରସ୍ତାବ ଉପରେ ସହମତି ସହ ମୋହର ବାଜିଛି। ଏହା ବ୍ୟତୀତ ଗୋଟିଏ ପରିବାରରୁ ଜଣଙ୍କୁ ଟିକେଟ୍ ଦିଆଯିବା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ପାର୍ଟିର କହିବା କଥା ଏହା ଜରିଆରେ ସେ ବିଜେପି ପକ୍ଷରୁ ଲଗାଯାଉଥିବା ପରିବାରବାଦ ଅଭିଯୋଗର ଜବାବ ଦେଇ ପାରିବ।
ଉଦୟପୁରରେ ମେ ୧୩ରୁ ମେ ୧୫ ପର୍ୟ୍ୟନ୍ତ କଂଗ୍ରେସର ଚିନ୍ତନ ଶିବିର ଆୟୋଜିତ ହେବ। ଏଥିରେ ସମସ୍ତ ପ୍ରସ୍ତାବକୁ ଉପସ୍ଥାପନ କରାଯିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟି ସେହି ସବୁ ତ୍ରୁଟିକୁ ସଂଶୋଧନ କରିବାକୁ ଚାହୁଁଛି ଯେଉଁଠି ଯେମିତି କୌଣସି ସମସ୍ୟା ନରୁହେ। ଏହି ଆଧାରରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ନୂତନ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଏହା ବାଦ୍ ଉତ୍ତର ପ୍ରଦେଶ ଏବଂ ବିହାର ପରି ରାଜ୍ୟଗୁଡିକରେ ଯୋଜନା ପ୍ରସ୍ତୁତ କରୁଛି କଂଗ୍ରେସ। ରାଜସ୍ଥାନ ଏବଂ ଛତିଶଗଡ ଉପରେ ମଧ୍ୟ ପାର୍ଟିର ନଜର ରହିଛି। ଏଠାରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବାକୁ ଯାଉଛି। ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ୪୦୦ ପାର୍ଟି ନେତା ସାମିଲ୍ ହେବେ।
ଖୋଦ୍ ଗାନ୍ଧୀ ପରିବାର ଉପରେ ମଧ୍ୟ ଲାଗୁ ହେବ ଗୋଟିଏ ଟିକେଟ୍ ନିଷ୍ପତ୍ତି ?
କଂଗ୍ରେସ କାର୍ୟ୍ୟକାରିଣୀ ବୈଠକ ପରେ ଜଣେ ନେତା କହିଛନ୍ତି, ଏକ ପରିବାର ଏକ ଟିକେଟ୍ ପ୍ରସ୍ତାବ ଉପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା କରିବେ। ଏହା ମଧ୍ୟ ଘୋଷଣା କରାଯାଇପାରେ ଯେ, ୨୦୨୪ ସାଧାରଣ ନିର୍ବାଚନରେ ପରିବାରର ଜଣେ ବ୍ୟକ୍ତି ନିର୍ବାଚନ ଲଢିବେ। ଏହା ବ୍ୟତୀତ କଂଗ୍ରେସରେ ପରିବର୍ତ୍ତନ ଦାବି କରୁଥିବା ନେତା ସଂସଦୀୟ ବୋର୍ଡର ମଧ୍ୟ ପୁନର୍ଗଠନ ଚାହୁଁଛନ୍ତି।
ଭୂପିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ଵରେ କୃଷକଙ୍କୁ ନେଇ ଗଠିତ ଏକ କମିଟି ବି ନିଜ ସୁପାରିଶ ଦେଇଛି। ଏଥିରେ ସବୁଠୁ ବଡ ସୁପାରିଶ ହେଉଛି, ପାର୍ଟି ଘୋଷଣା କରୁ ଯେ, ଯେବେ ସେ କେନ୍ଦ୍ରରେ କ୍ଷମତାକୁ ଆସିବ ପୁଣି ଥରେ କୃଷକଙ୍କ ପାଇଁ ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ତିଆରି କରାଯିବ। ଏହା ମଧ୍ୟ ସୁପାରିଶ ଦିଆଯାଇଛି ଯେ, ଏମଏସପିର କମ ମୂଲ୍ୟରେ ଖୋଲା ବଜାରରେ ଉତ୍ପାଦ କ୍ରୟ କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯିବ।