fbpx

ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ରାହୁଲ ଦ୍ରାବିଡ, ଖବରକୁ ଖଣ୍ଡନ କଲା ବିସିସିଆଇ

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେବା ଖବରକୁ ଖଣ୍ଡନ କରିଛି। ବୋର୍ଡ ପୂର୍ବତନ କ୍ରିକେଟରଙ୍କ ତରଫରୁ ଦିଆଯାଇଥିବା ସୂଚନା ଭୁଲ୍ ବୋଲି କହିଛି। ସୋମବାର ବିଜେପି ବିଧାୟକ ଦାବି କରିଥିଲେ ଯେ, ଦ୍ରାବିଡ ହିମାଚଳ ପ୍ରଦେଶର ଧର୍ମାଶାଳରେ ହେବାକୁ ଥିବା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ।

ବିସିସିଆଇର ମିଡିଆ ପ୍ରବନ୍ଧକ ମୌଲିନ ପାରେଖ କହିଛନ୍ତି, ଖୋଦ୍ ରାହୁଲ ଦ୍ରାବିଡ ମୋତେ କଲ୍ କରି ଏହି ଖବର ମିଥ୍ୟା ବୋଲି କହିଛନ୍ତି। ଏହି ଖବର ସଂପୂର୍ଣ୍ଣ ମିଥ୍ୟା ବୋଲି ପାରେଖ କହିଛନ୍ତି। ଧର୍ମଶାଳାରୁ ବିଜେପି ବିଧାୟକ ବିଶାଳ ନେହରିଆ କହିଥିଲେ ଯେ, ଦ୍ରାବିଡ ଉପସ୍ଥିତିରେ ଯୁବ ବର୍ଗଙ୍କୁ ଏହି ସନ୍ଦେଶ ଦିଆଯାଇ ପାରିବ ଯେ, ସେମାନେ କେବଳ ରାଜନୀତି ନୁହେଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢି ପାରିବେ।

ନେହରିଆ କହିଥିଲେ ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପାର୍ଟିର ଅନ୍ୟ ପଦାଧିକାରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗ ଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ସାମିଲ୍ ହେବେ। ସବୁଠୁ ବଡ ଚର୍ଚ୍ଚାର ବିଷୟ ଏହି ବୈଠକରେ ଯୋଗ ଦେବେ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ। ତାଙ୍କ ସଫଳତାରେ ଯୁବ ବର୍ଗଙ୍କୁ ଏହି ସନ୍ଦେଶ ଯିବ ଯେ ଆମେ କେବଳ ରାଜନୀତିରେ ନୁହେଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢି ପାରିବୁ ବୋଲି ବିଧାୟକ କହିଥିଲେ।

ରାଜ୍ୟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୪୪ ସିଟ୍ ଜିତି ସରକାର ଗଠନ କରିଛି। ବିରୋଧୀ କଂଗ୍ରେସ ଦଳକୁ ୨୧ ଏବଂ ଅନ୍ୟଙ୍କୁ ୩ ସିଟ୍ ମିଳିଛି। ହିମାଚଳ ପ୍ରଦେଶରେ ଏଥର ଆମ୍ ଆଦମୀ ପାର୍ଟି ମଧ୍ୟ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛି। ଆପ୍ ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସରକାର ଗଠନ କରିଛି।

Get real time updates directly on you device, subscribe now.