ନୂଆଦିଲ୍ଲୀ: ଓଡ଼ିଶାର ଜନସାଧାରଣ ଭାରତବର୍ଷରେ ସବୁଠାରୁ ଅଧିକ ମଦ୍ୟପାନ କରୁଛନ୍ତି । ଦେଶର ବଡ଼ ବଡ଼ ରାଜ୍ୟମାନେ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ମଦ୍ୟପାନରେ ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ସଂଖ୍ୟା ୧୮ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ରହିଛନ୍ତି । ତେବେ କେବଳ ପୁରୁଷ କାହିଁକି, ମହିଳାମାନେ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହାନ୍ତି । କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ (ଏନଏଫଏଚଏସ) ପକ୍ଷରୁ ଏହି ରିପୋର୍ଟ ଆସିଛି ।
ଏହି ସର୍ଭେରେ ୬ ଲକ୍ଷରୁ ଅଧିକ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାର ୨୬ ହଜାରରୁ ଅଧିକ ପରିବାରକୁ ନିଆଯାଇଥିଲା । ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ତେବେ ଝାଡ଼ଖଣ୍ଡରେ ୩୫, ଛତିଶଗଡ଼ରେ ୩୪.୮, ତାମିଲନାଡ଼ରେ ୨୫.୪, ଉତ୍ତରାଖଣ୍ଡରେ ୨୫.୫, ପଞ୍ଜାବରେ ୨୨.୮, ଅରୁଣାଚଳ ପ୍ରଦେଶ ୫୨.୭, ମଧ୍ୟପ୍ରଦେଶରେ ୧୭.୧ ପ୍ରତିଶତ ଲୋକ ମଦ ପାନ କରୁଥିବା ସର୍ଭେରୁ ସ୍ପଷ୍ଟ ହୋଇଛି ।
ଜାତୀୟ ସ୍ତରରେ ୧.୬ ପ୍ରତିଶତ ମହିଳା ମଦ ପିଉଥିବା ବେଳେ ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ମଦ୍ୟପାନରେ ଜାତୀୟ ହାରଠାରୁ ଆଗରେ ରହିଛି । ରାଜ୍ୟର ସହରାଞ୍ଚଳରେ ୨୨.୭ ପ୍ରତିଶତ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ରହିଛନ୍ତି ।