‘CM ସାର, ପ୍ଲିଜ୍ ସାହାଯ୍ୟ କରନ୍ତୁ, ମୁଁ ପାଠପଢ଼ି IAS-IPS ହେବାକୁ ଚାହୁଁଛି’: ମୁଖ୍ୟମନ୍ତ୍ରୀଙ୍କୁ ହାତଯୋଡ଼ି ଗୁହାରି କଲା ୬ଷ୍ଠ ଶ୍ରେଣୀର ଛାତ୍ର, ଦେଖନ୍ତୁ Video

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ନିଜ ଧର୍ମପତ୍ନୀଙ୍କ ପୂଣ୍ୟତିଥି ଅବସରରେ ନାଲନ୍ଦା ସ୍ଥିତ ନିଜ ପୈତୃକ ଗ୍ରାମକୁ ଯାଇଥିଲେ । ତେବେ ନୀତିଶ ତାଙ୍କର ସ୍ୱର୍ଗତ ପତ୍ନୀଙ୍କ ପ୍ରତିମା ଉପରେ ପୁଷ୍ପ ମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଦ୍ୟାଳୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ବୁଝିଥିଲେ । ତେବେ ହଠାତ୍ ଏକ ୧୧ ବର୍ଷୀୟ ବାଳକ ସୋନୁ କୁମାର ସିଏମଙ୍କୁ ହାତଯୋଡ଼ି ତା’ର ପାଠପଢ଼ା ବିଷୟରେ ଗୁହାରି କରିଥିଲା ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସୋନୁର କାକୁତିମିନତୀ ଭରା କଥା ଶୁଣି ମୁଖ୍ୟମନ୍ତ୍ରୀ ହତବାକ୍ ହୋଇଯାଇଥିଲେ । ପିଲାଟି କ’ଣ କହୁଛି ସେ ବିଷୟରେ ବୁଝିବା ପାଇଁ ନୀତିଶ କହିଥିଲେ । ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ହାତଯୋଡ଼ି କହିଥିଲା, ‘ସାର୍ ଶୁଣନ୍ତୁ, ପ୍ରଣାମ । ମୋତେ ପଢ଼ିବା ପାଇଁ ସାହସ ଦିଅନ୍ତୁ, ମୋର ଅଭିଭାବକ ମୋତେ ପାଠ ପଢ଼ାଉ ନାହାନ୍ତି । ମୋ ପିତା ଦହି ଦୋକାନରେ କାମ କରି ଯାହା ରୋଜଗାର କରନ୍ତି, ସେସବୁ ଅର୍ଥକୁ ମଦ ପିଇ ଉଡ଼ାଇ ଦିଅନ୍ତି ।

ପରେ ଜଣାପଡ଼ିଥିଲା ଯେ, ସୋନୁ କୁମାର ହରନୌତ ପ୍ରଖଣ୍ଡର ନୀମା କୌଲ ଗ୍ରାମର ବାସିନ୍ଦା । ତା’ର ପିତା ରଣବିଜୟ ଯାଦବ ଦହି ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଅର୍ଥ ଅଭାବ କାରଣରୁ ସୋନୁ ନୀମା କୌଲର ସରକାରୀ ସ୍କୁଲରେ ପାଠ ପଢ଼ୁଛି । ଉକ୍ତ ସ୍କୁଲରେ ଗୁଣାବତ୍ତାଯୁକ୍ତ ଶିକ୍ଷା ପ୍ରଦାନ କରାଯାଉନଥିବା ସୋନୁ ଖୁଲାସା କରିଥିଲା ।

ଯଦି ସରକାର ସାହାଯ୍ୟ କରନ୍ତି, ତେବେ ସେ ପାଠ ପଢ଼ି ଆଇଏଏସ-ଆଇପିଏସ ହେବ ବୋଲି ସୋନୁ ମିଡ଼ିଆକୁ କହିଥିଲା । ସୂଚନାଯୋଗ୍ୟ ଯେ, ଷଷ୍ଠ କ୍ଲାସରେ ପଢ଼ୁଥିବା ସୋନୁ ୫ମ ଶ୍ରେଣୀର ୪୦ ଜଣ ପିଲାଙ୍କ ପଢ଼ାଇ ନିଜର ଖର୍ଚ୍ଚ ବାହାର କରିଦେଉଛି । ସୋନୁର ସାହସକୁ ଦେଖି ସିଏମଙ୍କ ସହ ଥିବା ସମସ୍ତ ଅଧିକାରୀ ତାଜୁବ୍ ହୋଇଯାଇଥିଲେ ।