୬ଟି ରାଜ୍ୟରେ ମୋଷ୍ଟ ୱାଣ୍ଟେଡ଼ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ, ଜୀବନ୍ତ ଧରିବା ପାଇଁ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର

ପାଟଣା: ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ ଗୟାର ଲୁଟୁଆ ଜଙ୍ଗଲରେ ମୋଷ୍ଟ ୱାଣ୍ଟେଡ଼ ମାଓବାଦୀ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ସନ୍ଦୀପ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ୬ ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ଼ ଆପରାଧୀ ଥିଲା। ସନ୍ଦୀପ କେନ୍ଦ୍ରୀୟ ଜୋନର ଦାୟିତ୍ୱରେ ଥିଲେ ଏବଂ ସେ ୧୯୯୦ରୁ ସେ ସକ୍ରିୟ ଥିଲେ।

ଯାଦବଙ୍କ ମୃତ୍ୟୁକୁ ଗୟା ଏସପି ହରପ୍ରୀତ୍ ଗୌର ନିଶ୍ଚିତ କରିଛନ୍ତି । ତାଙ୍କ ମୃତଦେହକୁ ସିଆରପିଏଫ ସୁରକ୍ଷା କର୍ମି ଗୟାର ଅନୁଗଡ଼ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ନେଇଥିଲେ । ତେବେ ତାଙ୍କର ମୃତ୍ୟୁ ସାଧାରଣ ନୁହେଁ ବୋଲି କୁହାଯାଉଛି । ତାଙ୍କୁ କେହି ବିଷ ଦେଇ ମାରିଥିବା ଚର୍ଚ୍ଚା ହେଉଛି । ସନ୍ଦୀପ ତାଙ୍କର ୨୭ ବର୍ଷର ମାଓବାଦୀ କ୍ୟାରିୟରରେ ତାଙ୍କ ନାଁରେ ୫ଶହରୁ ଅଧିକ ହତ୍ୟା ଏବଂ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲେ ।

ଯାଦବଙ୍କ ମୁଣ୍ଡରେ ବିହାର ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେହିପରି ଝାଡ଼ଖଣ୍ଡ ସରକାର ତାଙ୍କୁ ଜୀବନ୍ତ ଧରିବା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ତାଙ୍କୁ ଧରାଇ ଦେବା ପାଇଁ ମୋଟ୍ ୮୪ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା । ତେବେ ଇଡି ତାଙ୍କ ଘରେ ରେଡ୍ କରି ୮୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ।

Get real time updates directly on you device, subscribe now.