ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜ । ତେବେ ଏହି ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ମିଳିଛି ଏକ ଆଶ୍ୱସ୍ତିକର ଖବର । ଟିମ ଇଣ୍ଡିଆ ମୁଣ୍ଡରୁ ହଟିଛି ଏକ ବଡ ଟେନସନ । ଦୁଇ ବର୍ଷ ପରେ ବାୟୋ ବବଲରୁ ମୁକ୍ତି ପାଇବ ମେନ ଇନ ବ୍ଲୁ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବାୟୋ ବବଲ ବିନା ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।
କରୋନା ପାଇଁ ବିଭିନ୍ନ ସ୍ଥାନରେ ଅନେକ କ୍ଷେତ୍ରରେ ଲଗାଯାଇଥିଲା ପ୍ରତିବନ୍ଧକ । କିନ୍ତୁ ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ ସମସ୍ତ କଟକଣାରେ କୋହଳ ହେଉଛି । ସେହିପରି କ୍ରିକେଟରେ ମଧ୍ୟ ଏକ କଟକଣାରୁ ମୁକ୍ତି ପାଇଛନ୍ତି ଖେଳାଳି ଏବଂ ପରିବାର ସଦସ୍ୟ । କ୍ରିକେଟରୁ ବାୟୋ ବବଲ ନିୟମକୁ ମଧ୍ୟ ହଟାଇ ଦିଆଯାଇଛି । ଅର୍ଥାତ କୌଣସି ମ୍ୟାଚ କିମ୍ବା ସିରିଜ ପୂର୍ବରୁ ଖେଳାଳି ଏବଂ ସେମାନଙ୍କ ପରିବାରକୁ କ୍ୱାରାଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । ତେବେ ସିରିଜ ସମୟରେ କୋଭିଡ ପ୍ରୋଟୋକୋଲ ପାଳନ କରିବାକୁ ହେବ । ଗୋଟିଏ ଜାଗାରେ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ତାଗିଦ କରାଯାଇଛି ।
ଗତ କିଛି ଦିନ ମଧ୍ୟରେ ଭାରତ ମହାମାରୀ କରୋନା ଉପରେ ବିଜୟ ହାସଲ କରିଥିବା ମନେ ହେଉଛି । ତେଣୁ କ୍ରିକେଟରମାନଙ୍କ ମୁଣ୍ଡ ଉପରେ ଥିବା ବାୟୋ ବବଲର ଏହି ଚିନ୍ତାକୁ ବିସିସିଆଇ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ୯ ତାରିଖରୁ ସିରିଜ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ମଧ୍ୟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ ।